ଆରକ୍ଷୀ ପ୍ରଶିକ୍ଷଣର ଦୀକ୍ଷାନ୍ତ ସମାରୋହ, ୪୪୬ ପୁଲିସ କନେଷ୍ଟବଳ ପାସ୍ ଆଉଟ୍

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପୁଲିସ ପ୍ରଶିକ୍ଷଣ ବିଦ୍ୟାଳୟରେ ୫୪ତମ ଆରକ୍ଷୀ ପ୍ରଶିକ୍ଷଣ ପାସିଂ ଆଉଟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ୍ ଏକାଡେମୀର ଆରକ୍ଷୀ ମହାନିର୍ଦ୍ଦେଶକ ସାଇନି ଏସ୍ ଯୋଗଦେଇ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଏସପି ରାହୁଲ୍ ଜୈନ, ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଭବେଶ କୁମାର ନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ । ୨୦୨୩ ମସିହା ମଇ ମାସରେ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୪୫୦ ଜଣ ନବ ନିଯୁକ୍ତ କନେଷ୍ଟବଲ୍‌ ଟ୍ରେନିଙ୍ଗ ପାଇଁ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ୪୪୬ ଜଣ ଟ୍ରେନିଙ୍ଗ ଶେଷ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ତାଲିମ ସମୟରେ ନୂତନ ସିଲାବସ୍ ଅନୁଯାୟୀ ଅସ୍ତ୍ରଶସ୍ତ୍ର ଚାଳନା, ଶାରିରୀକ ଶିକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ଲାଠିଚାଳନା, ଲୌହବୁହା ବାଷ୍ପର ପ୍ରୟୋଗ, ଜନସାଧାରଣଙ୍କ ପ୍ରତି ପୁଲିସର ବ୍ୟବହାର ଏବଂ ଆଇନ ସମ୍ବନ୍ଧିୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ତାଲିମ୍ ନେଇଛନ୍ତି । ଏହାପରେ ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରେ ଯୋଗ ଦେଇ ନିଜ କର୍ତ୍ତବ୍ୟ ସମ୍ପାଦନ କରିବେ।

ପ୍ରଶିକ୍ଷାର୍ଥୀମାନେ ଏହି ବିଦ୍ୟାଳୟରେ ଆହରଣ କରିଥିବା ଜ୍ଞାନକୁ ନିଜ ନିଜ କର୍ମକ୍ଷେତ୍ରରେ ପ୍ରୟୋଗ କରି ନିଜକୁ ସମାଜର ମଙ୍ଗଳ ନିମନ୍ତେ ଉତ୍ସର୍ଗ କରିପାରିଲେ ଓଡିଶା ପୁଲିସର ଯଶ ବୃଦ୍ଧି ହେବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ । ତାଲିମ୍ ସମୟରେ, ଇନ୍‌ଡୋର୍‌, ଆଉଟ୍‌ଡୋର୍ ଏବଂ ବନ୍ଧୁକ ଚାଳନାରେ କୃତିତ୍ୱ ହାସଲ କରିଥିବା ପ୍ରଶିକ୍ଷାର୍ଥୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହା ସହିତ ଏହି କେନ୍ଦ୍ରରୁ ନିକଟରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ ।

Related posts