ସମସ୍ତ ସରପଞ୍ଚଙ୍କୁ ନେଇ ଦଶପଲ୍ଲାରେ ଗଠନ ହେଲା ସରପଞ୍ଚ ସଂଘ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବିଭିନ୍ନ ପଞ୍ଚାୟତ ସରପଞ୍ଚମାନେ ଏକାଠି ହୋଇ ସଂଘ ଗଠନ କରିଛନ୍ତି। ଦଶପଲ୍ଲାନିକଟସ୍ଥ ଭୀମରା ପାହାଡରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସରପଞ୍ଚମାନଙ୍କୁ ରାଜନୈତିକ ପ୍ରୋତ୍ସାହନ ଏବଂ ପ୍ରଶାସନିକ ସହଭାଗିତା ଦେବା ନିହାତି ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଦଶପଲ୍ଲା ବ୍ଲକରେ ଏହି ସବୁ କ୍ଷେତ୍ରରେ ସରପଞ୍ଚଙ୍କୁ ଅବହେଳା କରାଯାଉଥିବା ଅନୁମାନ କରାଯାଉଛି। ପ୍ରକୃତରେ ପଞ୍ଚାୟତ ଆବଶ୍ୟକ କରୁଥିବା ହକ୍ ପାଇ ପାରୁନାହିଁ। ଏନେଇ ଦଶପଲ୍ଲା ବ୍ଲକ ସରପଞ୍ଚ ସଂଘ ଗଠନ କରାଯାଇଛି।ଏହି ଅବସରରେ ସମସ୍ତ ନିର୍ବାଚିତ ସରପଞ୍ଚ ଶତ ପ୍ରତିଶତ ପ୍ରଶାସନିକ ସହଯୋଗ ଦାବିନେଇ ସର୍ବସମ୍ମତି ପ୍ରସ୍ତାବ ଗ୍ରହଣ କରିଛନ୍ତି । ନବ ଗଠିତ ସରପଞ୍ଚ ସଂଘର ସଭାପତି ଭାବେ ଘୋଳାହାଣ୍ଡି ସରପଞ୍ଚ ପ୍ରଦୀପ କୁମାର ସ୍ବାଇଁ, ସମ୍ପାଦକ ଭାବେ ଡିହଗାଁ ସରପଞ୍ଚ ବରୁଣ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ଭୋଗବାଡି ସରପଞ୍ଚ ନିର୍ମଳା ସାହୁଙ୍କୁ ମନୋନୀତ କରାଯାଇଛି। କର୍ମକର୍ତ୍ତାମାନଙ୍କ କାର୍ଯ୍ୟକାଳ ଏକ ବର୍ଷ ସ୍ଥିରୀକୃତ ହୋଇଛି । ବିଭିନ୍ନ ପଞ୍ଚାୟତରେ ସାଂସଦ, ବିଧାୟକ ଏପରିକି ସମିତି ଅନୁଦାନରେ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ବରଦାସ୍ତ କରାଯିବ ନାହିଁ ବୋଲି ପ୍ରସ୍ତାବ ଗୃହୀତ ହୋଇଛି। ଏହି ବୈଠକରେ ବିଧାୟକ ରମେଶ ବେହେରା, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଓ କନ୍ଧମାଳ ସାଂସଦ ପ୍ରତିନିଧି ସଦାଶିବ ମିଶ୍ର ପହଞ୍ଚି ସଂଘ ଗଠନକୁ ପ୍ରଶଂସା କରିବା ସହ ସରପଞ୍ଚମାନଙ୍କ ସହିତ ଆଲୋଚନା କରିଛନ୍ତି।

Related posts