କୁସୁମୀ ଏବଂ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ: ‘ଏକ ଆଲୋଚନା’ ପୁସ୍ତକ ଲୋକାପିର୍ତ

ଶରଣକୁଳ,(ନୟାଗଡ଼ ଦର୍ପଣ): ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ଶରଣକୁଳର “ବାଷିର୍କ ଉତ୍ସବ” ହରିହରପୁର ଗ୍ରୀନକ୍ଳବ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶ ଯୋଗଦେଇଥିଲାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ବିଶିଷ୍ଟ ପରିବେଶବିତ୍ ଅନ୍ତଯ୍ୟାର୍ମୀ ସାହୁ, ହରିହରପୁର ଗ୍ରାମପଞ୍ଚାୟତର ସରପଞ୍ଚ ବିଳାସିନୀ ଦେଈ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ତଥା ପରିଷଦର ସଭାପତି ଅଧ୍ୟକ୍ଷତା କରିଥିଲେ। କବି ନିରାକାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ “କୁସୁମୀ” କାବ୍ୟ ଏବଂ ଡ.ଗୋବିନ୍ଦ ଚନ୍ଦ୍ର ଦାଶଙ୍କ ରଚିତ “ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପରେ ଚରିତ୍ର ଓ ସମାଜ ଚେତନା” ସମାଲୋଚନା ଗ୍ରନ୍ଥ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ପ୍ରଧାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା। ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ “ରଣପୁର ବନ୍ଧୁ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅଞ୍ଚଳର ଅଗ୍ରଣୀ ସମାଜସେବା ତଥା ପରିବେଶ ଉପରେ କାର୍ଯ୍ୟ କରୁଥିବା “ଗ୍ରୀନ କ୍ଳବ” ଅନୁଷ୍ଠାନକୁ ସେମାନଙ୍କର ଲୋକ ହିତକର ପରିବେଶୀୟ କାର୍ଯ୍ୟ ପାଇଁ “ପରିବେଶ ମିତ୍ର” ସମ୍ମାନ, ଶରତ ଘଡେ଼ଇଙ୍କୁ “ଶ୍ରେଷ୍ଠ ସମାଜସେବୀ” ସମ୍ମାନରେ ସମ୍ମାନିତ କରାଯିବା ସହ ଗଛ ସାର ଅନ୍ତଯ୍ୟାର୍ମୀ ସାହୁଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ପ୍ରଦାନ କରି ତାଙ୍କର ପରିବେଶ ସୁରକ୍ଷା ସମ୍ପର୍କିତ କାର୍ଯ୍ୟର ପ୍ରଶଂସା କରିଥିଲେ।

ଗୁରୁଶିଷ୍ୟ ଚତୁଷ୍ଟୟ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ଡ.ସୁରେଶ ଚନ୍ଦ୍ର ବରାଡ଼, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ ଓ କବି କୁସୁମ ନିରାକାର ସ୍ବାଇଁଙ୍କୁ ସେମାନଙ୍କର ସାରସ୍ବତ ସାଧନା ପାଇଁ ଭାରତ ଗୌରବ ସମ୍ମାନରେ ଖଣ୍ଡୁଆ ପାଟ ଓ ପ୍ରଶଂସା ପତ୍ର ଦେଇ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ଗ୍ରୀନକ୍ଲବ କର୍ମ କର୍ତ୍ତା ତଥା ସଦସ୍ୟ ସଦସ୍ୟା ମାନଙ୍କର ଅକୁଣ୍ଠ ସହଯୋଗ ଫଳରେ କାର୍ଯ୍ୟକ୍ରମ ସୁନ୍ଦର ରୂପେ ଆୟୋଜିତ ହୋଇଥିଲା ବୋଲି ସଭାପତି ପ୍ରଶଂସା କରିଥିଲେ। ଶେଷରେ ଡ.ସୁରେଶ ଚନ୍ଦ୍ର ବରାଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts