ଆର.ବି.ଆଇ ଲୋକପାଳ ଅଫିସ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ଦ୍ବାରା ନୟାଗଡ଼ରେ ବ୍ୟାଙ୍କ ଗ୍ରାହକମାନଙ୍କ ସଚେତନତା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ନାୟକ ତାଙ୍କ ରିଜର୍ଭ ବ୍ୟାଙ୍କ ସମନ୍ବିତ ଲୋକପାଳ ଯୋଜନା (ଇଣ୍ଟିଗ୍ରେଟେଡ୍ ଓମୁନ୍ସମ୍ୟାନ୍ ସ୍କିମ୍), ୨୦୨୧ ଉପରେ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଯେ, ଏହି ସ୍କିମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଆରବିଆଇ ଦ୍ବାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ ପ୍ରଣାଳୀ। ଶ୍ରୀ ନାୟକ କହିଲେ ଯେ ବ୍ୟାଙ୍କ, ଏନବିଏଫସି ଏବଂ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ସଂସ୍ଥାମାନଙ୍କର ଗ୍ରାହକଙ୍କର ଉକ୍ତ ସଂସ୍ଥା ଦ୍ବାରା ପ୍ରଦତ୍ତ ସେବାରେ ଅଭାବ ଜନିତ ଯଦି କୌଣସି ଅଭିଯୋଗ ଥାଏ, ତେବେ ଗ୍ରାହକ ପ୍ରଥମେ ସମ୍ପୃକ୍ତ ସଂସ୍ଥା ନିକଟରେ ଅଭିଯୋଗ କରିବେ । ଯଦି ୩୦ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକଙ୍କ ସମସ୍ୟାର ସମାଧାନ ନକରେ କିମ୍ବା ଉକ୍ତ ସଂସ୍ଥା ଦ୍ୱାରା ପ୍ରଦତ୍ତ ସମାଧାନରେ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି, କିମ୍ବା ୩୦ ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକଙ୍କୁ କୌଣସି ଉତ୍ତର ନ ଦିଅନ୍ତି, ତେବେ ଅସନ୍ତୁଷ୍ଟ ଗ୍ରାହକ ଆରବିଆଇ ଲୋକପାଳଙ୍କ ନିକଟରେ ଅଭିଯୋଗ କରିପାରିବେ ।

ଅଭିଯୋଗ ଦାଖଲ କରିବାର ସହଜ ଉପାୟ ହେଉଛି ଏହାକୁ https://cms.rbi.org.in ପୋର୍ଟାଲ ମାଧ୍ୟମରେ ଅନଲାଇନ ଫାଇଲ କରିବା। ଅଭିଯୋଗକାରୀ ତୁରନ୍ତ ଅଭିଯୋଗ ନମ୍ବର ସହିତ ଏକ ସ୍ବୀକୃତି ପତ୍ର ପାଆନ୍ତି, ଯାହା ସେ ତାଙ୍କ ଅଭିଯୋଗର ଅଗ୍ରଗତି ଜାଣିବା ପାଇଁ ବ୍ୟବହାର କରିପାରିବେ । ଅଭିଯୋଗ ଦାଖଲ କରିବା ସମୟରେ, ଅଭିଯୋଗକାରୀ ତାଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍‌ ଆଇଡି ଦେବା ଉଚିତ୍ ଯାହା ଦ୍ଵାରା
ଆରବିଆଇ ଲୋକପାଳ ଅଫିସ୍ ତାଙ୍କ ସହିତ ସହଜରେ ଯୋଗାଯୋଗ କରିପାରିବ । ବ୍ୟାଙ୍କ ଗ୍ରାହକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସାଇବର ଜାଲିଆତି ବିଷୟରେ ଆଲୋଚନା କରି ଶ୍ରୀ ନାୟକ କହିଥିଲେ ଯେ ସାଇବର ଠକମାନେ ଏବେ ଏଟିଏମ୍ କାର୍ଡ କ୍ଲୋରିଂ ନକରି ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଗ୍ରାହକଙ୍କୁ ଠକିବା କାମ କରୁଛନ୍ତି। ସାଇବର ଠକମାନେ ବିଭିନ୍ନ କଳ କୌଶଳ ବ୍ୟବହାର କରି, ସରଳ ଗ୍ରାହକଙ୍କ ଠାରୁ ବ୍ୟାଙ୍କ ଖାତା ସମ୍ପର୍କୀୟ ଗୋପନୀୟ ତଥ୍ୟ ସଂଗ୍ରହ କରୁଛନ୍ତି। ସେମାନଙ୍କ ଆକାଉଣ୍ଟରୁ ଜାଲିଆତି କରି ଟଙ୍କା ହଡପ କରୁଛନ୍ତି। ଲୋକମାନେ “ଭୟ” “ଲୋଭ” ଏବଂ “ଅଜ୍ଞତା” ହେତୁ ସାଇବର ଠକମାନଙ୍କ ଜାଲରେ ପଡ଼ନ୍ତି।

ଶ୍ରୀ ନାୟକ ତାଙ୍କ ଭାଷଣରେ ନିରାପଦ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ପର୍କୀୟ ଅନେକ ଉପାଦେୟ ତଥ୍ୟ କହିଥିଲେ ଏବଂ ଉପସ୍ଥିତ ଶ୍ରୋତା ମାନଙ୍କୁ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରି ଇଣ୍ଟରନେଟରୁ କଷ୍ଟମର-କେୟାର ଫୋନ ନମ୍ବର ନଖୋଜି ଡେବିଟ କାର୍ଡ । କ୍ରେଡିଟ କାର୍ଡରେ ଦିଆଯାଇଥିବା ଫୋନ ନମ୍ବର କିମ୍ବା ବ୍ୟାଙ୍କ ଅନୁଷ୍ଠାନର ୱେବସାଇଟରେ ଦିଆଯାଇଥିବା ଫୋନ ନମ୍ବରକୁ ବ୍ୟବହାର କରିବାକୁ ତଥା ଆର୍ଥିକ କାରବାର କରିବା ପାଇଁ କେବଳ ସୁରକ୍ଷିତ ୱେବସାଇଟ୍, ଯାହାର URL ରେ https ଅଛି, ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଆରବିଆଇ ଅଧିକାରୀମାନେ RB-IOS, 2021 ଏବଂ ଡିଜିଟାଲ୍ ଠକେଇ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଏହି ଆଲୋଚନାରେ ଆରବିଆଇର ଉପ ଲୋକପାଳ ଏବଂ ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଭୁପଦେବ ପ୍ରଧାନ, ରିଜିଓନାଲ ପରିଚାଳକ ଏସବିଆଇ, ଶ୍ରୀମତି ଟୁପ୍ଟା ତାପସୀ, DDM ନାବାର୍ଡ ତଥା ଅନ୍ୟାନ୍ୟ ବ୍ୟାଙ୍କ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯକ୍ରମରେ ବିଭିନ୍ନ ବ୍ୟାଙ୍କର ପ୍ରାୟ ୧୫୦ଗ୍ରାହକ ଭାଗ ନେଇଥିଲେ। ଓପନ୍‌ ହାଉସ୍‌ ଅଧିବେଶନରେ ଆରବିଆଇ ଅଧିକାରୀ/ଲୋକପାଳ ଶ୍ରୋତାମାନଙ୍କ ଭିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଶଶି ଶେଖର ପଟ୍ଟନାୟକ, ଏଲଡିଏମଙ୍କ ତରଫରୁ ସକ୍ରିୟ ସହଯୋଗ ଦ୍ବାରା ଆରବିଆଇ ଲୋକପାଳ କାର୍ଯ୍ୟାଳୟ ଦ୍ବାରା ଏ ପ୍ରକାର ସଚେତନତା କାର୍ଯକ୍ରମ ନୟାଗଡ଼ରେ ସୁଚାରୁ ରୁପେ ଆୟୋଜିତ ହୋଇଥିଲା।

Related posts