ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଏସପିଙ୍କ ଢିଲା ପ୍ରଶାସନିକ ବ୍ୟବସ୍ଥା ପାଇଁ ଜିଲ୍ଲାରେ ପୋଲିସ କର୍ମଚାରୀ ମଦନିଶାରେ ମତୁଆଲା ହୋଇ ମୋଟର ସାଇକେଲ ଉପରେ ପଡିବା ତ ଆଉ କେହି ରାସ୍ତା ଉପରେ ପଡିରହୁ ଥିବାର ଦୃଶ୍ୟ ବାରମ୍ବାର ଘଟୁଥିବାରୁ ସାଧାରଣରେ ନିନ୍ଦିତ ହେବା ସହିତ ପୋଲିସ ଉପରୁ ସାଧାରଣ ଜନତାଙ୍କ ବିଶ୍ୱାସ ଏବଂ ଭରସାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମକୁ କହିଛନ୍ତି। ମଦ ନିଶାରେ ମତୁଆଲା ପୋଲିସ ଶୀର୍ଷକ ଖବର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା କଂଗ୍ରେସ ଏହାକୁ ଗମ୍ଭୀରତା ସହ ନେଇଛି ଏବଂ ଏହି ଘଟଣାକ୍ରମ ପାଇଁ ନୟାଗଡ଼ ଏସପିଙ୍କୁ ଦାୟୀ କରି ତୁରନ୍ତ ରାଜ୍ୟ ଗୃହ ବିଭାଗୀୟ ଶାସନ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ଦାବୀ କରି ସମ୍ପୃକ୍ତ ନିୟୁଜ କ୍ଲିପ ସହିତ ଟୁଇଟ କରିଵା ପରେ ମଦ୍ୟପ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଯଥୋଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ଥିବା ଟୁଇଟର ଉତ୍ତର ଆସିଛି।

ତେବେ ସାଧାରଣ ଲୋକେ ମଦ୍ୟପାନ କରି ଗାଡି ଚଲେଇଲେ ଯେଉଁ ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉଛି, ଠିକ ସେହିପରି ଏହି ମଦ୍ୟପ ପୋଲିସ କର୍ମଚାରୀଙ୍କ ଗାଡି ଜବତ କରାଯାଇ ଫୌଜଦାରି ମୋକଦ୍ଦମା ରୁଜୁ ହୋଇ ଅଭିଯୋଗଫର୍ଦ୍ଦ ଦାଖଲ ହେବା ସହିତ ସଠିକ ଏମଭି ଜୋରିମାନା ଆଦାୟ କରିବା ପାଇଁ କୁହାଯାଉଛି। ସମ୍ପୃକ୍ତ ମୋଟର ସାଇକେଲକୁ ଥାନାରୁ ଛଡା ନଯାଇ କୋର୍ଟଚାଲାଣ କରିବା ପାଇଁ ମଧ୍ୟ ଆଇନରେ ଥିବା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ପାଇଁ ଶ୍ରୀ ଦାଶ କହିଛନ୍ତି। କିଛି ଦିନ ପୂର୍ବରୁ ଇଟାମାଟିରେ ଏହିଭଳି ଜଣେ ମଦ ନିଶାରେ ଚୁର ହୋଇ ପଡ଼ିଥିବା ପୋଲିସ କର୍ମଚାରୀ ବିରୁଦ୍ଧରେ ଯଦି ଏସପି ମାଡାମ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥାନ୍ତା ତେବେ ବାରମ୍ବାର ପୋଲିସ ସର୍ବସାଧାରଣରେ ଏଭଳି ନିନ୍ଦିତ ହୁଅନ୍ତା ନାହିଁ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଜାରି ପ୍ରେସବାର୍ତାରେ କୁହାଯାଇଛି। ତେବେ ନୟାଗଡ଼ ଏସପି ଏହି ସାଙ୍ଘାତିକ ଘଟଣାରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା ଉପରେ ନଜର ରଖିଛି ଜିଲ୍ଲା କଂଗ୍ରେସ।