ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସାଧାରଣ ସଭା ଓ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ସଦଭାବନା ସଭାଗୃହରେ ଦିବା ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ବିଜୟାନନ୍ଦ ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଜିତେନ୍ଦ୍ର କୁମାର ସାହୁ, ଉପ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ବିରୁଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ
ସଭାକାର୍ଯ୍ୟ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସେନାପତି ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଦୁର୍ନୀତି ନିବାରଣ ଉପରେ ନିଜର ଅଭିଭାଷଣ ରଖିଥିଲେ। ଏହା ପରେ ମାନନୀୟା ଜିଲ୍ଲାପାଳ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ଦୁର୍ନୀତି ନିବାରଣର ଶପଥ ପାଠ କରାଇଥିଲେ ।

ଏହା ପରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନେ ନିଜର ବକ୍ତବ୍ୟରେ ଦୁର୍ନୀତିମୁକ୍ତ ସମାଜ ଗଠନ ତଥା ସରକାରୀ କାର୍ଯ୍ୟରେ ସ୍ବଚ୍ଛତା, ସଚ୍ଚୋଟତା ଓ ଉତ୍ତରଦାୟିତ୍ବବୋଧକୁ ସୁଦୃଢ଼ କରିବା ଦିଗରେ ନିଜ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ରାମକୃଷ୍ଣ ରଥ ଦୁର୍ନୀତି ନିବାରଣ ଉପରେ ନିଜର ମନ୍ତବ୍ୟ ରଖିବା ସହ ଦୁର୍ନୀତି ହଟାଅ ସ୍ଲୋଗାନ ଦେଇଥିଲେ।
ଜିଲ୍ଲପାଳ ଶ୍ରୀମତୀ ରଥ ନିଜର ଅଭିଭାଷଣରେ କହିଥିଲେ ଯେ, ଦୁର୍ନୀତିରୁ ଦୂରେଇ ରହିବା ଓ ସାଧୁତା ବଜାୟ ରଖିବା ପ୍ରତ୍ୟେକ ବ୍ୟକ୍ତିର ଆତ୍ମବିଶ୍ୱାସ ଓ ମାନସିକତା ଉପରେ ନିର୍ଭର କରେ। କେବଳ ସଭାସମିତିରେ ଆହ୍ୱାନ ଦେଲେ ହେବ ନାହିଁ, ନିଜ ଭିତରେ ଆତ୍ମ-ଅନୁଶୀଳନ ଆବଶ୍ୟକ। ପ୍ରତ୍ୟେକ କାର୍ଯ୍ୟକୁ ସ୍ୱଚ୍ଛ ଓ ସମୟସୀମା ମଧ୍ୟରେ ସମ୍ପାଦନ କରିବାକୁ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର, କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ପରିଶେଷରେ ଉପ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ବିରୁଆ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା।

Related posts