ନୟାଗଡ଼ ଅତୀତ ନାଟ୍ୟ ପରମ୍ପରା

ଗୋଦାବରୀଶ ମିଶ୍ର
ସୃଷ୍ଟିର ପ୍ରାରମ୍ଭରୁ ମାନବ ଖୋଜିଚାଲିଛି ଆବେଗିକ ଭାବରେ ଜୀବନକୁ, ପ୍ରକୃତିକୁ ଆଉ ସ୍ଥାବର ଜଙ୍ଗମକୁ । ଖୋଜିବାର ଅନ୍ତ ନାହିଁ । ସତରେ କଳ୍ପନା କରିହେବ ନାହିଁ ପିପାସିତ ପ୍ରାଣର ଅନ୍ତର୍ବେଦନାକୁ । ବେଦନା ଅବ୍ୟକ୍ତ, ଅନନ୍ତ । ବାଟ ଚାଲୁଚାଲୁ ଗୀତ ଗାଇଥିବ । ହସିଥିବ, ନାଚିଥିବ, ଝୁଣ୍ଟିଥିବ, ଉଠିଥିବ । ଦେହରୁ ଧୂଲିଝାଡ଼ି ହେଇଥିବ, ମାଟି କାଦୁଆ, ବିଭିନ୍ନ ରଙ୍ଗେବେରଙ୍କୁ ଦେଖି ସେ ଚକିତ ହୋଇଥିବ । ସମୟ କ୍ରମେ ମନର କଥାକୁ ବ୍ୟକ୍ତ କରିବାକୁ ମାଧ୍ୟମ ଖୋଜିଥିବ । କାରଣ ଏତେକଥା କୁହାଗଲାପରେ ମଧ୍ୟ ଲେଖାଚାଲିଛି ଅଜାଚିତ ଭାବରେ । ଏବେ ମଧ୍ୟ ଖୋଜାଚାଲିଛି ଜୀବନକୁ… ଏହାର ସଂଜ୍ଞାକୁ । ସହଜରେ ଅନୁମେୟ କରିହୁଏ ଏସବୁର ଇତିବୃତ୍ତିକୁ । ଆଉ ଏହାର ମଧୁମୟ ପରଂପରାକୁ । ଖୁସିରେ ଜୀବନ କାଟିବା ଏକ ସହଜାତ ପ୍ରକ୍ରିୟା । ଯେତେବେଳେ ସେ ଦୁଃଖକୁ ସୁଖକୁ ବାରମ୍ବାର ଭେଟିଥିବ, ମୁହାଁମୁହିଁ ହେଇଥିବ ସେ ମଧ୍ୟ ସେତେବେଳେ ବେଦନାକ୍ତ ହୋଇଥିବ । ସେଇଠି ବଦଳି ଯାଇଥିବ ଜୀବନର ଅବବୋଧ, ଚାଲି ଚଳଣି ଆଉ ଚିନ୍ତନ । ସାହିତ୍ୟ ହେଉଛି ମାନବ ହିତୌଶୀଳତା । ସାହିତ୍ୟ ହେଉଛି ସଂପର୍କର ସେତୁ-ସେତୁବନ୍ଧ । ଭୂମିକୁ ଯୋଡ଼େ ଭୂମା ସହିତ । ଭିଜିଯିବାର ବସୁଧା, ହଜିବାର ବନଭୂମି, ଖୋଜିବାର ତପୋବନ । ସାହିତ୍ୟ ହେଉଛି ମାନବୀୟ ଅନୁଭୂତି ପୁଞ୍ଜର ସଂଗ୍ରହାଳୟ ।


ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ ନାଟକ ଅଧିକ ସଂଗ୍ରହର କଥା କହେ । କବିତା, ଉପନ୍ୟାସରେ ଯାହା କୁହାଯାଇପାରେ ନାହିଁ ବା କହିହୁଏ ନାହିଁ ନାଟକରେ ଅଧିକ କଥାକୁ କୁହାଯାଇପାରେ । ଭାଷା, ଶୈଳୀ, ସଂଳାପର ମିଶ୍ରଣ ସୃଜନ ଶୀଳତାର ସ୍ୱାକ୍ଷର ବହନକରେ ଦୃଶ୍ୟକାବ୍ୟ ସ୍ଥାନ ସାହିତ୍ୟରେ ସ୍ୱତନ୍ତ୍ର । ଦୃଷ୍ଟି ମାଧ୍ୟମରେ ଦର୍ଶକ ଆନନ୍ଦ ଉପଭୋଗ କରେ । ନବରସ ଆସ୍ୱାଦନ କରି ବିଭୋରିତ ହୁଏ । ସମସ୍ତ ଇନ୍ଦ୍ରିୟମାନେ ଏଥିରେଅଂଶ ଗ୍ରହଣ କରିଥାଆନ୍ତି । ଏହାର ଇତିହାସ ପ୍ରାଚୀନ ହୋଇଥିବାରୁ ଏହାକୁ ବିଧାତା ସୃଷ୍ଟ ‘ପଞ୍ଚମବେଦ’ଭାବେ ଗ୍ରହଣ କରାଯାଇଛି । ଓଡ଼ିଆ ନାଟକରେ ଗତିପ୍ରକୃତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହା ଏକ ଅବିରତ ପ୍ରକ୍ରିୟା । ଯାହା ଏଯାବତ୍ ରୂପ ବଦଳାଇ ଚାଲିଛି, ଚାଲିଥିବ ମଧ୍ୟ । ଲୀଳା, ସୁଆଙ୍ଗକୁ ଆଦରିନେଇ ରଙ୍ଗବୋଳି ହେବାର ଯେଉଁ ଆନନ୍ଦ, ତାହା ଅଭିନେତାଟି ଜାଣେ । ଜଗତରେ ଶ୍ରେଷ୍ଠ ଅଭିନେତାଟିଏ ହେଉଛି ଶ୍ରେଷ୍ଠପ୍ରାଣୀ ମଣିଷ । ସେ ଅଭିନୟ ଶିଖାଇଛି ସାପକୁ, ମାଙ୍କଡ଼କୁ, ଭାଲୁକୁ, ମହାବଳ ବାଘକୁ ଆଉ ବିରାଟ ଜୀବ ଗଜରାଜକୁ । ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି ମଣିଷର କବି କୃଷ୍ଣଚନ୍ଦ୍ର ତ୍ରିପାଠୀ । କବିଙ୍କ ଭାଷାରେ-
“ମଣିଷଠୁ ବଳିକିଏ ଅଛିରେ ସୁନ୍ଦର/
ମଣିଷଠୁ ବଳିକିଏ ଏତେ ବଳିୟାର/
ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି ମଣିଷ ଜଗତେ/
ୠଦ୍ଧିମନ୍ତ କରେ ବିଶ୍ୱ ନିଜ ଇଚ୍ଛାମତେ ।”


ସବୁ କାର୍ଯ୍ୟ କରିବାରେ ଦିବ୍ୟ ମଣିଷ । ଜିତିବା, ହାରିବା, ପଡ଼ିବା, ଉଠିବା, କାନ୍ଦିବା, ହସିବା, ଭଲପାଇବା, ସମର୍ପିତ ହେବା, ସବୁସେ ଶିଖିଛି କା’ଠୁ ନାଁ କା’ଠୁ ।
ପୁରୁଣା କାଳରେ ଏହାଥିଲା- ରାମଲୀଳା, କୃଷ୍ଣଲୀଳା, ଦଣ୍ଡନାଚ, ଘୋଡ଼ାନାଚ ଇତ୍ୟାଦି ଇତ୍ୟାଦି । ପୁରାଣର କାହାଣୀ ଉପରେ ନାଟକ ଲେଖାଯାଉଥିଲା । ଆଦ୍ୟ ନାଟକ ଯାହାକୁ ସେତେବେଳେ କାବ୍ୟ କୁହାଯାଉଥିଲା ତାହାଥିଲା କାଳିଦାସଙ୍କର “ଅଭିଜ୍ଞାନ ଶାକୁନ୍ତଳମ୍‌” । ପରବର୍ତ୍ତୀ ପର୍ଯ୍ୟାୟରେ ଏହି କାବ୍ୟମାନେ ରୂପାନ୍ତରୀତ ହେଲେ ନାଟକରେ । ରୂପ ବଦଳିଲା । କଥା-କବିତା-ସଂଳାପକୁ ନେଇ ନାଟକ ଲେଖାଚାଲିଲା । ଓଡ଼ିଶାର ଆଦ୍ୟ ନାଟ୍ୟକାର ରାମଶଙ୍କର ରାୟ ।


ସେହି ପରିପ୍ରେକ୍ଷୀରେ ଓଡ଼ିଆ ନାଟ୍ୟ ସାହିତ୍ୟକୁ ନୟାଗଡ଼ର ଅବଦାନ କମ୍ ନୁହେଁ । ଗାଁ ଗାଁରେ ଲୀଳା, ସୁଆଙ୍ଗ, ନୃତ୍ୟ ସବୁଥାଇ ମଧ୍ୟ ମଞ୍ଚନାଟକର ପ୍ରସ୍ତୁତିପର୍ବ ଆରମ୍ଭ ହେଲା । ଯେଉଁମାନଙ୍କ ଦାନରେ ମଞ୍ଚନାଟ୍ୟ ପର୍ବର ଅୟଂଆରମ୍ଭ ହେଲା, ସେମାନେ ହେଲେ- ନାଟରଥି ଗୋବିନ୍ଦଚନ୍ଦ୍ର ଶୂରଦେଓ (ନୟାଗଡ଼), ରାମଚନ୍ଦ୍ର ମିଶ୍ର(ଦଶପଲ୍ଲା), ଭୁବନେଶ୍ୱର ମିଶ୍ର(ଶରଣକୁଳ) ନୟାଗଡ଼ର ନାଟ୍ୟ ପରଂପରାକୁ ଜଣେ ଦିଗ୍‌ବିଜୟୀ ସଂଗୀତ ସମ୍ରାଟ ଉଚ୍ଚସ୍ତରକୁ ନେବାରେ ସାହାଯ୍ୟ କରିଥିଲେ, ସେହେଲେ ଅପୂର୍ବ ରଂଜନ ରାୟ । ସିଏ ଆସିଥିଲେ ୧୯୫୦ ମସିହାରେ କଲିକତାରୁ ନୟାଗଡ଼କୁ । ନୃତ୍ୟ, ଗୀତ, କଳା, ସାହିତ୍ୟ, ସଂଗୀତରେ ନିପୁଣ ସେ । ଅଭିନୟରେ ଏବଂ ନାଟକ ମଞ୍ଚସ୍ଥର ପିପାସା ମାଡ଼ି ଚାଲିଲା ଗାଁରୁ ଗାଁକୁ, ସହରରୁ ସହରକୁ । ସେତେବେଳେ ନୟାଗଡ଼ ଛୋଟଥିଲା । ପ୍ରେରଣାରେ ଏବଂ ତାରଣ୍ୟର ଝଙ୍କାରରେ ମହକିତ ହେଲା ଯୁବ ଗୋଷ୍ଠୀ, ଚରିତ୍ରର ସଂଶୋଧନ ଏବଂ ହାସ୍ୟରସ ସୃଷ୍ଟିର ଲକ୍ଷରେ ନାଟ୍ୟକାରମାନେ ଲେଖନୀ ଚାଳନା କଲେ । ପ୍ରତିବର୍ଷ ନୟାଗଡ଼ ସହରରେ ଦୁଇ, ତିନୋଟି ନାଟକ ମଞ୍ଚସ୍ଥ ହେଲା। ଶିକ୍ଷିତ ଗ୍ରାମଗୁଡ଼ିକରେ ମଧ୍ୟ ମଞ୍ଚ ନାଟକର ଅହେତ୍ୱକ ବୃଦ୍ଧି ଘଟିଲା । ନାଟ୍ୟକାର ନୀଳକଣ୍ଠ ମିଶ୍ର(ରଣପୁର) ପୁରୀ ଘର, କିନ୍ତୁ ରଣପୁରରେ ଶିକ୍ଷକତା କରୁଥିବାରୁ ଏଇଠି ସେ ପ୍ରତିଷ୍ଠିତ ହେଲେ। ଯଥେଷ୍ଟ ନାଟକ ଲେଖିଥିଲେ । ଇଟାମାଟି, କଣ୍ଟାବଣିଆ, ଜେମାଦେଇପୁର, ଚନ୍ଦ୍ରଶେଖରପୁର, ମାନଧାତାପୁର, ଗୋଡ଼ିଆଳି, କଇଥଗାଡ଼ିଆ, ଘଡ଼ୁଆଳ, ବ୍ରଜବଲ୍ଲଭପୁର, ଗୋବିନ୍ଦପୁର, ମାଳିସାହି, ରଣପୁର, ଶରଣକୁଳ, ଓଡ଼ଗାାଁ, ନୀଲାଦ୍ରୀପୁର, ବିନାୟକପୁର, ବାଉଶଗାଡ଼ିଆ- ଇତ୍ୟାଦି ଗ୍ରାମମାନଙ୍କରେ ଷାଠୀଏ ଦଶକପରଠାରୁ ଅଶୀଦଶକ ଯାଏଁ ମଞ୍ଚ ନାଟକ ଅଭିନୀତ ହେଲା । ସୁନ୍ଦର ଅଭିନୟ ତରୁଣ ଗୋଷ୍ଠୀଙ୍କ ପାଇଁ ଏହା ଆନ୍ଦୋଳନର ରୂପନେଲା । ବରିଷ୍ଠ ନାଟ୍ୟାଚାାର୍ଯ୍ୟମାନଙ୍କର ଦ୍ୱାରା ଲିଖିତ ପୁସ୍ତକ ଯଥା- ଉଆଁସୀ କନ୍ୟା, ବାଟବରଣ, ବାଡ଼ୁଅ ଝିଅ, ଅଭିମାନ, ଉର୍ବଶୀ, ମୂଲିଆ, ଭାଇଭାଉଜ, ଘର ସଂସାର, ଖଇକଉଡ଼ି, ଚକ୍ରୀ, ଶେଷଶ୍ରାବଣ, ସନ୍ଧ୍ୟାତାରା ଭଳି ଶତାଧିକ ନାଟକ ଜିଲ୍ଲାର କୋଣଅନୁକୋଣରେ ମଞ୍ଚସ୍ଥହେଲା । ଜିଲ୍ଲାରେ ସୃଷ୍ଟିହେଲା ନୂତନ ପରଂପରା । ଗାଁ ଗହଳର ଯୁବକମାନେ ସହରରେ ନାଟକଦେଇ ଏବଂ ବିଭିନ୍ନ ଗ୍ରାମରେ ନାଟକ ପରିବେଷଣକୁ ଦେଖି ପ୍ରଭାବିତ ହେଲେ । କିଛି ଯୁବକ ହେଲେ ଅଭିନେତା ଓ ନିର୍ଦ୍ଦେଶକ ।


ନୟାଗଡ଼ କଳା ସଂସଦ- ୧୯୭୦ରୁ ୧୯୮୦ମଧ୍ୟରେ ପ୍ରାୟତଃ ୨୦ଟି ନାଟକ ମଞ୍ଚସ୍ଥ କରିଥିବ, ଯାହାର ସଫଳତା ପାଇଁ ପ୍ରଫୁଲ୍ଲଚନ୍ଦ୍ର ମହାନ୍ତି ଓ ହରିହର ମିଶ୍ରଙ୍କ ଅବଦାନ ଅବିସ୍ମରଣୀୟ । ପରବର୍ତ୍ତୀ ପର୍ଯ୍ୟାୟରେ ନାଟକ କ୍ଷେତ୍ରରେ ପ୍ରବେଶ କରନ୍ତି ଭାଗବତୀଚରଣ ପଟ୍ଟନାୟକ ଓ ଡ. ବିଜୟ କୁମାର ଚୌଧୁରୀ । ଡ. ଚୌଧୁରୀ ନାଟ୍ୟ ସାହିତ୍ୟ ଉପରେ ପି.ଏଚ୍‌.ଡି କରି ସେ ନିଜର ଅଙ୍ଗୀକାର ବଦ୍ଧତାକୁ ପ୍ରଦର୍ଶିତ କରିଛନ୍ତି ଜଣେ ସଫଳ ଲେଖକ ଓ ନିର୍ଦ୍ଦେଶକ ଭାବରେ । ବାଳକୃଷ୍ଣ ମିଶ୍ର (ଅବସରପ୍ରାପ୍ତ) ବରିଷ୍ଠ ଶିକ୍ଷକଙ୍କର ନାଟ୍ୟ ଜଗତକୁ ଅବଦାନ କମ୍ ନୁହେଁ । ଲେଖିବା ଓ ନିଜ ନିର୍ଦ୍ଦେଶନାରେ ସେ ବେଶ ଉତ୍ସାହିତ ।


ପରବର୍ତ୍ତୀ ପର୍ଯ୍ୟାୟରେ ବହୁ ନାଟକ ଜିଲ୍ଲାର କୋଣଅନୁକୋଣରେ ଲେଖାଚାଲିଲା, ଯାହା ଅଗଣନ । ଲେକନୀ ଚାଳନା କଲେ ଜଗନ୍ନାଥ ସ୍ୱାଇଁ, ବିଶ୍ୱନାଥ ମହାପାତ୍ର, ବଂଶୀଧର ସାହୁ, ଦଦାଧର ନନ୍ଦ, ପଞ୍ଚାନନ ସାହୁ, ଗୋଦାବରୀଶ ମିଶ୍ର, ଶରତଚନ୍ଦ୍ର ଆଚାର୍ଯ୍ୟ, ବସିରନ ବିବି, ଅମୂଲ୍ୟ ସ୍ୱାଇଁ, ଜନାର୍ଦ୍ଦନ ମିଶ୍ର ଇତ୍ୟାଦିମାନେ ।


ପ୍ରବନ୍ଧଟିର ଲେଖା ସମୟରେ ଆବଶ୍ୟକ ଦିଗଟିକୁ ଛାଡ଼ିଦେଲେ ଲେଖା ସଂପୂର୍ଣ୍ଣ ହୋଇପାରିବ ନାହିଁ । ମଞ୍ଚ ନାଟକର ସଫଳତା ପାଇଁ ଝମରଦ୍ଭର, ଝରରକ୍ସରଦ୍ଭରର ପ୍ରସ୍ତୁତି ଚାଲିଲା । ଶିଳ୍ପୀର ପରିକଳ୍ପନା ଓ ହାତର ମଡ଼ାଣ ଚମତ୍କାର ହେଲା । ଖଣ୍ଡପଡ଼ା ବାଇଗୁଣିଆରେ ପ୍ରଥମେ ଏହି କାର୍ଯ୍ୟ ଆରମ୍ଭ ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ଇଟାମାଟିରେ ୩/୪ଗୋଟି ଅନୁଷ୍ଠାନ ଗଢ଼ିଉଠିଲା । ପ୍ରଗତି ଚିତ୍ରାଳୟ, ଭୁବନ ଚିତ୍ରାଳୟ, ବିଶ୍ୱଶ୍ରୀ ଏବଂ ମହାନ୍ତି ଚିତ୍ରାଳୟ ପ୍ରଗତି ପାଇଁ ବେଶ୍‌ଭାବେ ଖୋରାକ ଯୋଗାଇଲେ । ଏବେ ମଧ୍ୟ ଚାଲିଛି ଯଦିଓ ରଙ୍ଗମଞ୍ଚ ଏବେ ଶକ୍ତ ।
ମାଟି ଗୁଣେ ଚେର । ଚେର ଗୁଣେ ଗଛ । କଳା-ସାହିତ୍ୟ- ସଂସ୍କୃତିର ମାଟି ନୟାଗଡ଼ । ଏ ମାଟି ଜନ୍ମିତ ଦେଇଥିବା ନାଟୁଆମାନେ ନାଟ କରୁଛନ୍ତି, କରିଛନ୍ତି, କରୁଥିବେ ମଧ୍ୟ, ମଞ୍ଚ ନାଟକର ସୀମା ସଙ୍କୁଚିତ ହୋଇ ପଡ଼ିଥିଲେ ମଧ୍ୟ ସୀମିତ ସ୍ଥାନରେ ପ୍ରଦର୍ଶିତ ହେଉଛି । ସମୟ ଆସିଛି ଖୋଜିବାକୁ ଅତୀତକୁ । ମୂଲ୍ୟବାନ ସମୟକୁ; ନାଟ୍ୟ ପରଂପରାକୁ । ନାଟ୍ୟକାରମାନଙ୍କ ଲେଖନୀ ଖୋଜିହେଉଥାଉ ଜୀବନକୁ ଆଉ ଏହାର ଘଟଣା ପ୍ରବାହକୁ । ଜୀବନ ଅଛିତ ନାଟକ ଅଛି । ଜୀବନ ହିଁ ନାଟକ । ଡ. ଚୌଧୁରୀଙ୍କ ଭାଷାରେ ଏହି ନାଟକ ହେଲା ଚାକ୍ଷୁସ ଯଜ୍ଞ- ଏତିକି କହିଦେଇ ସେ ଏହାର ବ୍ୟାପକ ସଜ୍ଞାକୁ ଥୋଇଦେଲେ ବିଶ୍ୱ ନାଟ୍ୟ ପୃଷ୍ଠାରେ । ଶେଷରେ ଏତିକି କହିବି ଲେଖକ ହିସାବରେ ଯେ ଜୀବନ ଭିତରେ ଏହି ଜିଲ୍ଲାରେ ଅନେକ ନାଟକ ଦେଖିଛି । ସେଇମାନଙ୍କ ମଧ୍ୟରୁ ୮ଗୋଟି ନାଟକ ମୋତେ ଭରପୂର ଆବେଦନ ଦେଇଛି । ସେମାନେ ହେଲେ- ସନ୍ଧ୍ୟାତାରା (ଇଟାମାଟି), ଦାୟୀକିଏ (ଓଡ଼ଗାଁ), ଶେଷଶ୍ରାବଣ (ଗୋଡ଼ିଆଳି), ଖଇ କଉଡ଼ି (କଳା ସଂସଦ), ମଣିଷ ହାଟ (ନୟାଗଡ଼), କାଚଘର (ନୟାଗଡ଼ କଲେଜ), ପଥର (ଚମତ୍କାର) ଭଗବତୀ ବାବୁ, ବିଜୟ ବାବୁ, ପବିତ୍ର ବାବୁ, ଶରତ ବାବୁ ଏବଂ ଜଗନ୍ନାଥ ସ୍ୱାଇଁଙ୍କୁ ଆଜିର ଦିବସରେ ପ୍ରାବନ୍ଧିଙ୍କର ଯଥା ମାନ୍ୟ । ଆଗାମୀ ସମୟରେ ଏ ଲେଖାଟି ଇତିହାସ ଭାବରେ ଲେଖାଯିବାର ସାହସଟିଏ ରଖାଯାଇଛି । ବିଶ୍ୱାସ ଆଶାଟି ପୁରଣ ହେବାକୁ ସମସ୍ତେ ସାହସଦେବେ । ବିଶ୍ୱାସର ତାଳପତ୍ର ଓ ବିସ୍ମୟର ପାଲିଙ୍କିକୁ ଆମେ ଆପଣାର କରିବା ।


ରହିଯାଇଥିବା କଥାମାନଙ୍କୁ ଆସନ୍ତା ସଂଖ୍ୟା ମାନଙ୍କରେ ପ୍ରକାଶ କରାଯିବ । ମତେ କ୍ଷମାଦେବେ ।
ନୟାଗଡ଼
ମୋ- ୯୦୪୦୭୭୫୧୮୪

Related posts