ନୟାଗଡ ଜିଲ୍ଲା ଦଶପଲ୍ଲାଠାରେ ଦୁଇ ଦିନ ଧରି ଆୟୋଜନ ହେବ ଉତ୍କଳ ସମ୍ମିଳନୀର ୪୯ତମ ଅଧିବେଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀର ୨୧ ଡିସେମ୍ବର ୨୦୨୫ ତାରିଖରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀର ସପ୍ତମ ବୈଠକର ନିଷ୍ପତ୍ତିକ୍ରମେ ୪୯ତମ ସାଧାରଣ ଅଧିବେଶନ ଆସନ୍ତା ଫେବୃଆରୀ ମାସ ୭ଓ ୮ ତାରିଖ ଦୁଇ ଦିନ ଧରି ନୟାଗଡ ଜିଲ୍ଲା ଦଶପଲ୍ଲାଠାରେ ଅନୁଷ୍ଠିତ ହେବାକୁଯାଉଛି। ପରିଷଦ ସଭା ଓ ସାଧାରଣ ଅଧିବେଶନ ସାଙ୍ଗକୁ କେନ୍ଦ୍ରୀୟ କମିଟିର ନିର୍ବାଚନ ମଧ୍ଯ ଅନୁଷ୍ଠିତ ହେବ। ପରିଷଦ ସଭାରେ ମୁଖ୍ୟ ଆଲୋଚନାର ବିଷୟ ରହିବ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ତଥା ପୃଥ‌ିବୀର ୧୦ଗୋଟି ବହୁଳ ବ୍ୟବହାର ଭାଷା ମଧ୍ୟରେ ପ୍ରାଚୀନ ଓଡ଼ିଆ ଭାଷାକୁ ସ୍ଥାନୀତ କରାଯିବାକୁ ପ୍ରସ୍ତାବ ନିଆଯିବ। ଏଥି ସହିତ ସୀମାସମସ୍ୟା, ଓଡ଼ିଶାର ବରପୁତ୍ରମାନଙ୍କର ପୂଜ୍ୟପୂଜା ନିମନ୍ତେ ଏକ ନୀତି ପ୍ରଣୟନ କରାଯିବ। ଉତ୍କଳ ଗୌରବ ମଧୁବାବୁଙ୍କର ସ୍ଵାଭିମାନୀ ଓଡ଼ିଆ ଜାତି ଗଢ଼ିବାର ସ୍ଵପ୍ନକୁ ସାକାର କରିବା ସକାଶେ ଓଡ଼ିଶାର ବିଭିନ୍ନ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଆଙ୍କ ବହୁଳ ସଂଖ୍ୟାରେ ସମ୍ପୃକ୍ତି ଏବଂ ଆଗାମୀ ୨୦୩୬ର ଓଡ଼ିଶାର ରୂପରେଖ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବ। ଏହି ସାଧାରଣ ସଭାରେ ଅତିଥ୍‌ ଭାବେ ବିଶିଷ୍ଟ ସ୍ତମ୍ଭକାର, ଭାଷାତତ୍ତ୍ବବିତ୍, ଐତିହାସିକ ଓ ରାଜନୈତିକ ନେତାମାନେ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସାରସ୍ଵତ ଅଧିବେଶନରେ ରାଜ୍ୟ ଓ ବିଚ୍ଛିନ୍ନାଞ୍ଚଳରୁ ୩୫ଗୋଟି ଶାଖା ସଂଗଠନର ୨୫୦ ପ୍ରତିନିଧି ଅଂଶଗ୍ରହଣ କରିବେ। ଏତଦ୍‌ବ୍ୟତୀତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶରୁ ମଧ୍ଯ ପ୍ରତିନିଧ‌ିଗଣ ଯୋଗଦାନ କରିବେ । ସମାବେଶରେ ପ୍ରତିନିଧିମାନଙ୍କ ପ୍ରଣୀତ ପୁସ୍ତକ ଏଠାରେ ପ୍ରଦର୍ଶିତ ହେବ।

Related posts