ମିଲର ଧାନ ନ ନେବାରୁ ଉତ୍ତେଜନା, ସଭାପତି ସମ୍ପାଦକଙ୍କୁ ଅଟକ ରଖିଲେ ଚାଷୀ

ଗଣିଆ,(ନୟାଗଡ଼ ଦର୍ପଣ)ବିଜୟ ଲକ୍ଷ୍ମୀ ରାଉତ: ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଓସ୍ତିଆ ସମବାୟ ସମିତିରେ ମିଲର ଧାନ ନ ନେବାରୁ ଉତ୍ତେଜନା ଦେଖାଦେଇଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ସମିତିର ସଭାପତି ଭାବଗ୍ରାହୀ ସ୍ବାଇଁ ଏବଂ ଜଳଧର ରାଉଳଙ୍କୁ ସମିତି କାର୍ଯ୍ୟାଳୟ ପରିସରରେ ବନ୍ଦ କରି ରଖିବା ସହିତ ଧାନ ନ ଉଠିବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ଦାବି କରିଛନ୍ତି । ଘଟଣାରୁ ଜଣାପଡିଛି ଯେ ଯୋଗାଣ ବିଭାଗ ତରଫରୁ ୨ ତାରିଖ ଦିବା ୧୧ ଘଟିକା ମଧ୍ୟରେ ଧାନ ମଣ୍ଡିକୁ ଧାନ ଆଣିବାକୁ ଚାଷୀ ମାନଙ୍କ ପାଖକୁ ମୋବାଇଲରେ ମେସେଜ ଆସିବା ପରେ ଓସ୍ତିଆ ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ଗ୍ରାମର ପ୍ରାୟ ୩୦ ଜଣ ଚାଷୀ ସୋମବାର ସକାଳୁ ପ୍ରାୟ ୬ଶହ କ୍ଵିଣ୍ଟାଲ ଧାନ ଆଣି ମଣ୍ଡିରେ ରଖିଥିଲେ । ଦିନ ସାରା ଅପେକ୍ଷା କରି ରହିଥିଲେ ମଧ୍ୟ ମିଲର ଧାନ ନେବାକୁ ଆସି ନଥିଲେ । ଗାଡ଼ି ଭଡ଼ା କରି ଘରୁ ଧାନ ଆଣି ମଣ୍ଡିକୁ ଆଣି ବାହାରେ ଗଦା କରି ଶୀତ କାକରରେ ପଡ଼ିଥିବା ବେଳେ ମିଲର ନ ଆସିବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଖାଦେଇଥିଲା। ଫଳରେ ସେମାନେ ଉତ୍ତେଜିତ ହୋଇ ସଭାପତି ଏବଂ ସମ୍ପାଦକଙ୍କୁ କାର୍ଯ୍ୟାଳୟ ପରିସରରେ ଅଟକ ରଖିଥିଲେ । ଯେ ପର୍ଯ୍ୟନ୍ତ ଧାନ ନ ଉଠିବ ସେ ପର୍ଯ୍ୟନ୍ତ ଚାଷୀ ମାନେ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ବାହାରେ ବସି ରହିବେ ବୋଲି ଚେତାବନୀ ଦେଇଥିଲେ । ଏ ସମ୍ପର୍କରେ ବ୍ଳକ ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ମିଲର ଆସି ଘଟଣାସ୍ଥଳରେ ପହଂଚି ଚାଷୀଙ୍କ ସହିତ ଆଲୋଚନା କରି ଆସନ୍ତାକାଲି ଧାନ ଉଠିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ସଭାପତି ସମ୍ପାଦକଙ୍କୁ ଛାଡ଼ିବା ସହିତ ଧାରଣାରୁ ହଟିଥିଲେ ।

Related posts