ଶୋକାକୁଳ ପରିବେଶରେ ହେଲା ଅନ୍ତିମ ସଂସ୍କାର, ନିଆରା ପରମ୍ପରା ସୃଷ୍ଟି କଲେ ଗ୍ରାମବାସୀ

ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଯୁବ ନାଟ୍ୟ ନିର୍ଦ୍ଦେଶକଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ନରେନ୍ଦ୍ରପୁର ମୋ ଗାଁ ମହୋତ୍ସବ କମିଟି ଏବଂ ରାଜସୁନାଖଳା ମହୋତ୍ସବ କମିଟି। ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଗ୍ରାମବାସୀ। ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଯୁବ ନାଟ୍ୟ ନିର୍ଦ୍ଦେଶକ ତଥା ମୋ ଗାଁ ମହୋତ୍ସବ କମିଟିର ସହ-ସମ୍ପାଦକ ଲଳିତ କୁମାର ବାହିନୀପତି(୨୩)ଙ୍କ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଥିଲା।

ଶ୍ରୀ ବାହିନୀପତି ଗତକାଲି ନିଜର ବ୍ୟକ୍ତିଗତ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବିନୋଦପଡା ଠାରେ ତାଙ୍କ ବାଇକ ସହିତ ଏକ ଅଜଣା ଗାଡ଼ି ଧକ୍କା ହେବାରୁ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କୁ ଉଦ୍ଧାର କରି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଉଦବେଗ ଜନକ ହେବାରୁ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଆଜି ଶବ ବ୍ୟବଚ୍ଛେଦ ଓ ପଞ୍ଚନାମା ପରେ ଶବ ଗାଁରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ବହୁ ଆତ୍ମୀୟଙ୍କ ଗହଣରେ ତାଙ୍କର ଶବାଧାରକୁ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସଂସ୍କାର କରାଯାଥିଲା।

ଶବ ସଂସ୍କାର ପାଇଁ ମାତ୍ର ୬ଜଣ ମାଲ ଭାଇ ଆବଶ୍ୟକ ଥିବାବେଳେ ଗ୍ରାମବାସୀ ଆଜି ସୃଷ୍ଟି କରିଥିଲେ ଏକ ନିଆରା ପରମ୍ପରା। ଏହି କ୍ରମରେ ଜାତି, ଧର୍ମ, ଵର୍ଣ୍ଣ ନିର୍ବିଶେଷରେ ନରେନ୍ଦ୍ରପୁର ଗ୍ରାମର ୩୦ରୁ ଅଧିକ ଯୁବକ ଏକାଠି କରିଥିଲେ ଶବ ସଂସ୍କାର। ଉଭୟ ମହୋତ୍ସବ କମିଟିର ଅଧ୍ୟକ୍ଷ ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ, ମୋ ଗାଁ ମହୋତ୍ସବ କମିଟିର ସମ୍ପାଦକ ରଶ୍ମିରଞ୍ଜନ ପରିଡ଼ା, ଏବଂ ରାଜସୁନାଖଳା ମହୋତ୍ସବ କମିଟି ସମ୍ପାଦକ ଚିତରଞ୍ଜନ ପ୍ରଧାନଙ୍କ ସମେତ ସମାଜସେବୀ ତ୍ରିନାଥ ରାଉତ ଶ୍ରୀ ବାହିନୀ ପତିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପ୍ରକାଶ ଥାଉକି,ଶ୍ରୀ ବାହିନୀ ପତି ବିଶିଷ୍ଟ ଯାଜ୍ଞିକ ଲକ୍ଷ୍ମୀଧର ବାହିନୀପତିଙ୍କ ଏକମାତ୍ର ପୁତ୍ର ଅଟନ୍ତି।ନିଜସ୍ଵ ପ୍ରଚେଷ୍ଟାରେ ସେ ଏକ ରାମ ନାଟକ ଦଳ ଗଠନ କରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ରାମ ନାଟକ ପରିବେଷଣ କରି ଢେର ସୁନାମ ସାଉଁଟି ଥିବାବେଳେ ତାଙ୍କର ଏଭଳି ଅକସ୍ମାତ ମୃତ୍ୟରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।

Related posts