ରଣପୁରରେ ରେସନ୍ କାର୍ଡ଼ ଓ ସ୍ଥାୟୀପଟା ଦାବି ନେଇ ବ୍ଲକ ଓ ତହସିଲ ଅଫିସ ଆଗରେ ଧାରଣା

ରଣପୁର,(୨୪/୦୯): ନବନିର୍ମାଣ କୃଷକ ସଙ୍ଗଠନ ଓ ଦଳିତ ଆଦିବାସୀ ସଂଘ ପକ୍ଷରୁ ରଣପୁରରେ ରଣପୁର ବ୍ଲକ ଓ ତହସିଲ ଘେରାଉ କରାଯାଇଛି । ରଣପୁର ଏନ୍ଏସିରେ ବର୍ଷ ବର୍ଷ ଧରି ରେସନ୍ କାର୍ଡ଼ ଓ ସ୍ଥାୟୀ ପଟା ପାଇଁ ବ୍ଲକ ପ୍ରଶାସନ, ତହସିଲଦାର ଓ ଏନ୍ଏସିର କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରା ଯାଉନାହିଁ। କର୍ତ୍ତୃପକ୍ଷ ଭୂମିହୀନଙ୍କୁ ସ୍ଥାୟୀପଟ୍ଟା ଦେବାରେ ବିଳମ୍ବ କରୁଥିବାରୁ ରଣପୁର ଏନ୍ଏସିର ଶହ ଶହ ମହିଳା ଏବଂ ପୁରୁଷ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନିଜ ଅଧିକାର ପାଇଁ ଧାରଣାରେ ବସିଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ଓ ତହସିଲଦାର ବିକ୍ଷୋଭ କାରୀଙ୍କ ପାଖକୁ ଆସି ଅକ୍ଟୋବର ମାସ ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ଓ ପଟା ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ। ଏହି କାର୍ୟ୍ୟକ୍ରମରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯୁବ ଶାଖା ସଭାପତି ତଥା କଂଗ୍ରେସ ନେତା ସତ୍ୟବ୍ରତ ନାୟକ, ରଣପୁର ବାର ଆସୋସିଏସନର ସମ୍ପାଦକ ସତ୍ୟରଞ୍ଜନ ମତ୍ତା, ନବନିର୍ମାଣ କୃଷକ ସଂଗଠନ ସଂଯୋଜକ ଅଜୟ ମହାନ୍ତି, ବରିଷ୍ଠ ସାମ୍ବାଦିକ ଆଚାର୍ୟ୍ୟ ବିଶ୍ୱରଂଜନ, ଦଳିତ ଆଦିବାସୀ ସଂଘ ନେତ୍ରୀ ତରୁଲତା ଭୋଇ, ନୟାଗଡ଼ ଜିଲ୍ଲା ଯୁବକଂଗ୍ରେସ କାର୍ୟ୍ୟକାରୀ ସଭାପତି ମୀର ଆବୁବକର ସିଦ୍ଧିକ, ସଞ୍ଜୟ ମହାନ୍ତି, ବସନ୍ତ କୁମାର ପ୍ରଧାନ, କୃପାସିନ୍ଧୁ ବେହେରା, ଲଷ୍ମୀଧର ନାୟକ, କୁନା ଦେଇ, ଜୟନ୍ତୀ ଦେଇ, ରାଣୀ ପ୍ରଧାନ, ଲଷ୍ମୀପ୍ରିୟା ଶତପଥୀ, ମମତା ରାଉତଙ୍କ ସମେତ ଶହ ଶହ ପୁରଷ ଓ ମହିଳା ଏହି ଧାରଣାରେ ଯୋଗଦେଇଥିଲେ।

Related posts