୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ, ସାମିଲ ହେଲେ ବାଚସ୍ପତି ସୁରମା ପାଢ଼ୀ
ଚାନ୍ଦପୁର, (ନୟାଗଡ଼ ଦର୍ପଣ): ଦେଶପ୍ରେମ, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାର ବାର୍ତ୍ତା ନେଇ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଉଥିବା ବେଳେ ଏହି କ୍ରମରେ ଚାନ୍ଦପୁରରେ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଚାନ୍ଦପୁରସ୍ଥିତ ମୋହନ ମହିଳା ମହାବିଦ୍ୟାଳୟ ନିକଟରୁ ଶୋଭାଯାତ୍ରା ବାହାରିଥିଲା। ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ରାୟ ୧୨୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଶୋଭାଯାତ୍ରାରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ହାତରେ ତ୍ରିରଙ୍ଗା ଧରି ଦେଶାତ୍ମବୋଧକ ନାରା ଦେଇ ଚାନ୍ଦପୁର ବଜାର ପରିକ୍ରମା କରିଥିଲେ। ପରେ ଗୋପବନ୍ଧୁ ଛକ ନିକଟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମାଲ୍ୟାର୍ପଣ କରିଥିଲେ। ଏହାପରେ କନ୍ଧନୟାଗଡ଼ ପଞ୍ଚାୟତ ନିକଟରେ ଥିବା ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ଶୋଭାଯାତ୍ରାର ଶେଷରେ କନ୍ଧନୟାଗଡ଼ସ୍ଥିତ ମା’ ଡୋମଣି ମନ୍ଦିର ନିକଟରେ ସମସ୍ତେ ଏକତ୍ରିତ ହୋଇଥିଲେ। ସେଠାରେ ବାଚସ୍ପତି ସୁରମା ପାଢ଼ୀ ଉଦ୍ବୋଧନ ଦେଇ କହିଥିଲେ ଯେ, “ତ୍ରିରଙ୍ଗା ଆମର ପ୍ରାଣ, ପରିଚୟ ଓ ପଥପ୍ରଦର୍ଶକ। ରାଷ୍ଟ୍ରୀୟ ଧ୍ୱଜର ଗୌରବ ଓ ସମ୍ମାନକୁ ବିଶ୍ୱ ଦରବାରରେ ସର୍ବୋଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା।”
କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜେପି ଉପସଭାପତି ପରେଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜସିଂହ, ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ କୁମାର ସାହୁ, ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ଚାନ୍ଦପୁର ମଣ୍ଡଳର ଦୁଇ ସାଧାରଣ ସମ୍ପାଦକ ଗଣେଶ୍ୱର ମାନ୍ଧାତା ଓ ରାଜେଶ କୁମାର ମହାପାତ୍ରଙ୍କ ସମେତ ଅଭିଷେକ ସାମନ୍ତରାୟ, ସୁଶାନ୍ତ ମଲ୍ଲିକ, ଶିବପ୍ରସାଦ ସାହୁ, ସଞ୍ଜୟ ସିଂହ, ବସନ୍ତ ଖମାରୀ, ସୁବର୍ଣ୍ଣ ସିଂହ ଓ ବହୁ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇଥିଲେ।
ଏହାସହ ବିଦ୍ୟାର୍ଥୀ, ମହିଳା, ଯୁବକ, ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ମଧ୍ୟ ଉତ୍ସାହର ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ତ୍ରିରଙ୍ଗା ପତାକା ଧରି ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ ନାରାରେ ସମଗ୍ର ଚାନ୍ଦପୁର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଶେଷରେ ରାଷ୍ଟ୍ରୀୟ ଧ୍ୱଜ, ରାଷ୍ଟ୍ରଗାନ ଓ ଜାତୀୟ ସଙ୍ଗୀତରେ ନିହିତ ରାଷ୍ଟ୍ର ନିର୍ମାଣର ଭାବନାକୁ ହୃଦୟଙ୍ଗମ କରି ଦେଶକୁ ପ୍ରଗତିର ପଥରେ ଆଗେଇ ନେବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।
