ହାଲଦ୍ୱାନି ଘଟଣାକୁ ନେଇ ନୟାଗଡ଼ରେ କଂଗ୍ରେସର ସତ୍ୟାଗ୍ରହ

ନୟାଗଡ଼, (ନୟାଗଡ଼ ଦର୍ପଣ): ହାଲଦ୍ୱାନି ଘଟଣାରେ ଜାତିଭେଦ, ଅସ୍ପୃଶ୍ୟତା ଓ ବିଭେଦମୂଳକ ରାଜନୀତିର ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ଏଆଇସିସିର ଆହ୍ୱାନ କ୍ରମେ ଦେଶର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ବାପୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏହି ସତ୍ୟାଗ୍ରହ ଆୟୋଜନ କରାଯାଇଥିବା ବେଳେ ନୟାଗଡ଼ରେ ମଧ୍ୟ ଏହା ପାଳିତ ହୋଇଛି। ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶାନ୍ତିସ୍ଥଳରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଅହିଂସା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉତ୍ତରାଖଣ୍ଡର ହାଲଦ୍ୱାନିରେ କଂଗ୍ରେସ ସଭାପତି ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସଭା ସମାପ୍ତ ହେବା ପରେ ସଭାସ୍ଥଳକୁ ଗଙ୍ଗାଜଳ ଛିଞ୍ଚି ‘ଶୁଦ୍ଧିକରଣ’ କରାଯାଇଥିଲା। ଏହି ଘଟଣାକୁ ଜାତିଭେଦ, ଅସ୍ପୃଶ୍ୟତା ଏବଂ ସାମାଜିକ ବିଭେଦର ପ୍ରତୀକ ବୋଲି ଦର୍ଶାଇ କଂଗ୍ରେସ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଛି। ସମାନତା, ସାମାଜିକ ନ୍ୟାୟ ଓ ମାନବୀୟ ମର୍ଯ୍ୟାଦାର ସୁରକ୍ଷା ସହ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମ୍ମାନ ଓ ସମର୍ଥନରେ ଅପରାହ୍ନ ପ୍ରାୟ ସାଢ଼େ ୫ଟା ସମୟରେ ନୟାଗଡ଼ ତ୍ରିନାଥ ଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇଥିଲେ।

କାର୍ଯ୍ୟକ୍ରମରେ ଡିସିସି ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ, ବରିଷ୍ଠ ନେତା କମଳ ଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସୀମ ଖାନ, ଡିସିସି ସାଧାରଣ ସମ୍ପାଦକ କୂଳେଶ ଚନ୍ଦ୍ର ମହାନ୍ତି, ଜୋନ କଂଗ୍ରେସ ସଭାପତି ପ୍ରମୋଦ କୁମାର ନାୟକ, ପ୍ରହଲ୍ଲାଦ ପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଡିସିସି ଅନୁସୂଚିତ ଜାତି ସଭାପତି ଜିତେନ୍ଦ୍ର ଦଳେଇ, ଛାତ୍ରନେତା ଓମପ୍ରକାଶ ପ୍ରଧାନ, ସୁରେନ୍ଦ୍ର ଦଳେଇଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ। ସତ୍ୟାଗ୍ରହ ମାଧ୍ୟମରେ ଜାତିଭେଦ, ଅସ୍ପୃଶ୍ୟତା ଓ ବିଭେଦମୂଳକ ରାଜନୀତି ବିରୋଧରେ କଂଗ୍ରେସ ପକ୍ଷରୁ ନୟାଗଡ଼ରେ ଦୃଢ଼ ପ୍ରତିବାଦ ଜଣାଇଥିଲେ କର୍ମୀମାନେ।

Related posts