ସଫଳ ଆମ୍ବ ଚାଷୀ ପୁରସ୍କାର ପାଇଲେ ଦିବ୍ୟାଙ୍ଗ ଶଙ୍କର ଜାନୀ

ନୟାଗଡ଼/ଗଣିଆ,(ନୟାଗଡ଼ ଦର୍ପଣ):- ଉକୃଷ୍ଟମାନର ଆମ୍ବ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ଜଣେ ସଫଳ ଆମ୍ବ ଚାଷୀ ଭାବେ ଆଦିବାସୀ ଅଧ୍ୟୁଷିତ ବଡ଼ଶିଲିଙ୍ଗା ଗ୍ରାମପଞ୍ଚାୟତ ପୁରୁଣାପାଣି ଗ୍ରାମର ଦିବ୍ୟାଙ୍ଗ ଶଙ୍କର ଜାନୀ ଉକୃଷ୍ଟ ଅବଦାନ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ବିକାଶ ବ୍ୟାଙ୍କ(ନାବାର୍ଡ଼)ର ୪୦ତମ ପ୍ରତିଷ୍ଠା ଦିବସରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ପରିସରରେ ଶଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଡଃ.ଗଣେଶୀ ଲାଲ ଶଙ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ଶଙ୍କର ଦିବ୍ୟାଙ୍ଗ ହୋଇ ବି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବାରୁ ରାଜ୍ୟପାଳ ବେଶ୍ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ନାବାର୍ଡ଼ ଡିଜିଏମ୍ ଜୟନ୍ତ ସାହୁ ଓ ଜିୟୁସିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ । ଦିବ୍ୟାଙ୍ଗ ଶଙ୍କର ସଫଳ ଚାଷୀଭାବେ ପୁରସ୍କୃତ ହୋଇ ରାଜ୍ୟପାଳଙ୍କ ମନ ଜିଣିଥିବା ବେଳେ ଘଞ୍ଚଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ବଡ଼ଶିଲିଙ୍ଗା ପଞ୍ଚାୟତର ୩୩ଟି ଗ୍ରାମର ୬ଶହ ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ନାବାର୍ଡ଼ ସହାୟତାରେ ଗଣିଆ ଉନ୍ନୟନ କମିଟି ତରଫରୁ ୱାଡ଼ି ଯୋଜନା ଆମ୍ବ, କାଜୁ ଓ ଶାଗୁଆନ ଗଛ ଲଗାଇବା ପାଇଁ ସହାୟତା ପ୍ରଦାନ କରାଯାଇଥିଲା । ତେବେ ଶଙ୍କର ନିଜର ୧ଏକର ଜମିରେ ଉନ୍ନତ ମାନର ଆମ୍ରପଲ୍ଲୀ ଆମ୍ବ ଓ କାଜୁ ଚାଷ କରି ତାର ରକ୍ଷଣାବେକ୍ଷଣ କରିବା ସହ ଗତ ୨୦୧୬ମସିହା ପରଠାରୁ ଭଲ ଆମ୍ବ ଅମଳ କରିଛନ୍ତି ।

Related posts