ବିଶିଷ୍ଟ ସମାଜସେବୀ ଗୋବର୍ଦ୍ଧନ ସାହୁଙ୍କ ଦେହାନ୍ତ

ବରିଷ୍ଠ ଉପଦେଷ୍ଟାଙ୍କୁ ହରାଇଲା ରାଜସୁନାଖଳା ମହୋତ୍ସଵ କମିଟି

ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ଯାହାଙ୍କର ମୁହଁରେ ରହିଥିଲା ରକ୍ତମାଟି ରାଜରଣପୁରର ରକ୍ତିମ ଇତିହାସ। ଅନର୍ଗଳ କହି ପାରୁଥିଲେ ମାଆ, ମାଟି, ରାଜସୁନାଖଳାର ଭୂତ, ଭବିଷ୍ୟ ଆଉ ବର୍ତ୍ତମାନ । ଯିଏ ତନ୍ନତନ୍ନ କରି ପଢ଼ିଥିଲେ ରଣପୁର ଗେଜେଟକୁ।ଆତ୍ମୀୟତାର ନିରୁତା ବନ୍ଧନରେ ବାନ୍ଧି ରଖିଥିଲେ କୋମଳମତି ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ। ବୟସର ଅପରାହ୍ନରେ ବି ତାଙ୍କଠି ବାରିହେଇ ପଡୁଥିଲା ଯୁବସୁଲଭ ଗୁଣାବଳୀ। ରାଜସୁନାଖଳା ମହୋତ୍ସବ କମିଟି, ରାଜସୁନାଖଳାର ବରିଷ୍ଠ ମାର୍ଗଦର୍ଶକ ଭାବେ ଯୋଗଦେଇ ମହୋତ୍ସବକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ଆଣିବାରେ ସହାୟ ହୋଇଥିଲେ। ତେବେ ଏଭଳି ଜଣେ ମାନଵବାଦୀ ମଣିଷଙ୍କୁ ହରାଇ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋପୀନାଥପୁର ସାହିର ବିଶିଷ୍ଟ ସମାଜସେବୀ ତଥା ଓଡ଼ିଆ ଭାଷା ସାହିତ୍ୟକୁ ମନଭରି ଭଲପାଉଥିବା ଶ୍ରୀଯୁକ୍ତ ସାହୁ ଗତ କିଛିମାସ ଧରି ଶାରୀରିକ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ। ଗତ ଚାରିଦିନ ତଳେ ଅବସ୍ଥା ଗୁରୁତର ହେବାରୁ ପରିବାରବର୍ଗ ତାଙ୍କୁ ଏମ୍ସ ହସ୍ପିଟାଲ ଭୁବନେଶ୍ୱର ରେ ଭର୍ତ୍ତି କରିଥିଲେ। ମାତ୍ର ଗତକାଲି ମଧ୍ୟାହ୍ନରେ ଅଞ୍ଚଳବାସୀଙ୍କୁ ଶୋକସାଗରରେ ଭସାଇ ଅମର ପଥର ଯାତ୍ରୀ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୭୬ବର୍ଷ ବୟସ ହୋଇଥିଲା।ମୃତ୍ୟୁ ଶଯ୍ୟା ନିକଟରେ ଶ୍ରୀଯୁକ୍ତ ସାହୁଙ୍କ ପରିବାରବର୍ଗ ଓ ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଏନେଇ ଖବର ପ୍ରଚାରିତ ହେବାପରେ ରାଜସୁନାଖଳା ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ, କମିଟି ସମ୍ପାଦକ ତଥା ଯୁବ ସମାଜସେବୀ ଚିତରଞ୍ଜନ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଶ୍ରୀ ସାହୁଙ୍କ ନିଜସ୍ୱ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଅମର ଆତ୍ମାଙ୍କ ସଦଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ପ୍ରଦୀପ କୁମାର ରଣା
ଆ,ପ୍ର, ନୟାଗଡ଼ ଦର୍ପଣ
ମୋ-୯୯୩୮୬୮୮୪୩୨

Related posts