ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସର ପ୍ରଧାନଶିକ୍ଷୟିତ୍ରୀ ବିଜୟାଲଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମତୀ ମିଶ୍ର ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ସଂପର୍କରେ ଜଣାଇ କହିଲେ ଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା। ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତିଭୂମିକୁ କିପରି ଅଭିବୃଦ୍ଧି କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କଣ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା କରିଥିଲେ ।

ସ୍କୁଲର ପବିତ୍ରତାକୁ ବଜାୟ ରଖିବା ସହିତ ଭଲ କାମ କରିବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନରେ ପୋଷ୍ୟସ୍କୁଲଭାବେ ଗ୍ରହଣ କରିଥିବା ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ କହିଲେଥିଲେ ଯେ, ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ୨୦୧୭ମସିହା ନଭେମ୍ବର ୧୪ତାରିଖ ଶିଶୁ ଦିବସ ପାଳନ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ ହୋଇଥିଲା । ପାଠ ପଢ଼ିବା ସହିତ କ୍ରୀଡ଼ା, ସଙ୍ଗୀତ ଓ ଅନ୍ୟାନ୍ୟ ଆତ୍ମିକ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା, ବୌଦ୍ଧିକ ବିକାଶ, ମାର୍ଗ ଦର୍ଶନ, ଭିତିଭୂମିର ବିକାଶ ଏବଂ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସକାଶେ ପୂର୍ଣ୍ଣମାତ୍ରାରେ ସହଯୋଗର ଆବଶ୍ୟକ ବୋଲି କହିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବରେ ଶିକ୍ଷାଦାନ କରିବା ସହିତ ଉନ୍ନତ ମଣିଷ ଭାବେ ଗଢ଼ି ତୋଳିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦସଭ୍ୟ ମହେଶ୍ୱର ମହାରଣା, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ , ପୂର୍ବତନ ଛାତ୍ରୀ ତଥା ଗଣିଆ ଉନ୍ନୟନ କମିଟିର ସଭାପତି ଉଷରାଣୀ ପଟ୍ଟନାୟକ ଯୋଗଦେଇ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ସଂପର୍କରେ ନିଜର ମତ ପ୍ରକାଶ କରିଥିଲେ ।

ପରିଶେଷରେ ମୋ ସ୍କୁଲ ଅଭିଯାନ ଯୋଜନାରେ କି ପ୍ରକାର କାର୍ଯ୍ୟକ୍ରମ ସଂପାଦନ କରିଛନ୍ତି ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱେଚ୍ଛାସବୀ ସଂଗଠକ, ଶିକ୍ଷାବିତ୍, ଅଭିଭାବକ, ଜନପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

