ଭାପୁରରେ ରାଜନୈତିକ ଝଡ଼

ଭାପୁର,(ନୟାଗଡ଼ ଦର୍ପଣ):- ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ନୟାଗଡ଼ ଜିଲା ଭାପୁର ବ୍ଲକରେ ରାଜନୈତିକ ପାଣିପାଗ ବଦଳିବା ଆରମ୍ଭ ହୋଇଛି। ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ମଙ୍ଗଳବାର ଆବେଦନ କରାଯାଇଛି। ବ୍ଲକର ୧୮ଜଣ ସମିତିସଭ୍ୟ ଓ ସରପଞ୍ଚଙ୍କ ସ୍ବାକ୍ଷର ଥିବା ଏହି ଆବେଦନ ପତ୍ରକୁ ୫ଜଣ ପଞ୍ଚାୟତ ପ୍ରତିନିଧ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ମଧ୍ୟରେ ସୃଷ୍ଟି ବିବାଦ ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଜାଲ ଦସ୍ତଖତ ଓ ନକଲି ଲେଟର ପ୍ୟାଡ଼କୁ ବ୍ୟବହାର କରି ୨ ବର୍ଷ ହେଲା ଉପାଧ୍ୟକ୍ଷ ଗୟାଧର ପରିଡ଼ା ସରକାରୀ କାର୍ଯ୍ୟରେ ଅନିୟମିତତା, ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗ ଥାନାରେ ହୋଇଛି । ଏପରି ଦୁର୍ନୀତିରେ ତାଙ୍କୁ ଫସାଇବାକୁ ସେ ଉଦ୍ୟମ କରିଛନ୍ତି ବୋଲି ଦର୍ଶାଇ ନିଜେ ଅଧ୍ୟକ୍ଷା ବେହେରା ଫତେଗଡ ଥାନାରେ ରବିବାର ଅଭିଯୋଗ କରିଥିଲେ। ଏହାର ପ୍ରତିବାଦ କରିବାରୁ ବିଭିନ୍ନ ସମୟରେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି । ଏପରିକି ତାଙ୍କୁ ଜାତିଆଣ ଆକ୍ଷେପ ସହିବାକୁ ପଡ଼ିଥିବା ଅଧକ୍ଷା ଦର୍ଶାଇଥିଲେ। ଏହି ଘଟଣା ପରେ ବ୍ଲକ ଉପାଧ୍ୟକ୍ଷଙ୍କ ସହଯୋଗୀ ମାନେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଗୟାଧରଙ୍କ ଆବେଦନ କରିବା ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ଉପଜିଲାପାଳ ଲଗ୍ନଜିତ୍ ରାଉତ କୁହନ୍ତି, ଅନାସ୍ଥା ଭୋଟ ପାଇଁ ପ୍ରସ୍ତାବ ଆସିବା ପରେ ପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ।

Related posts