ପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରୀ, ସମାଜସେବୀ ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ ରାମଙ୍କ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରି, ସମର୍ପିତ ସମାଜସେବୀ, ପ୍ରଗତିଶୀଳ ରାଜନେତା ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ କୁମାର ରାମଙ୍କ ଆକସ୍ମିକ ଏବଂ ଅକାଳ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ। ଜଣେ ମେଳାପି ଏବଂ ବନ୍ଧୁ ବତ୍ସଳ ଭାବେ ସେ ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ ବୋଲି ସ୍ୱର୍ଗତ ଶ୍ରବଣ ରାମଙ୍କ ଉଦ୍ଦେଶ୍ୟରେ ଇଟାମାଟି ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଇଟାମାଟି ଦୋଳ ମଣ୍ଡପ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟବସାୟୀ, ବୁଦ୍ଧିଜୀବି, ଶିକ୍ଷାବିତ୍, ତଥା ଶ୍ରବଣ ପ୍ରେମୀମାନେ ଯୋଗଦାନ କରି ମତ ବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ଶ୍ରବଣ କୁମାର ରାମ୍ ପିଲାଟି ଦିନରୁ କିପରି ବିହାର ରୁ ଇଟାମାଟି ମାରୱାଡ଼ି ସାହିର ପ୍ରତିଷ୍ଠିତ ବ୍ୟବସାୟୀ ସୁକା ରାମ୍ ଙ୍କ ପୋଷ୍ୟ ପୁତ୍ର ଭାବେ ଆସି ଓଡ଼ିଆ ସଂସ୍କୃତି, ଶିକ୍ଷା, ସାହିତ୍ୟ କୁ ନିଜର କରିଥିଲେ କେବଳ ତାହା ନୁହେଁ ବରଂ ସବୁ କ୍ଷେତ୍ରରେ ଅନ୍ୟ ସହପାଠୀ ମାନଙ୍କ ଠାରୁ ଅପେକ୍ଷାକୃତ ଅଧିକ ଅଗ୍ରଗଣ୍ୟ ଥିଲେ ବୋଲି ଯଦୁମଣି ବରିଷ୍ଟ ନାଗରିକ ମଞ୍ଚର ସଭାପତି ସାଓଁରମଲ ଅଗ୍ରୱାଲ କହିଥିଲେ। ଏଥି ସହିତ ଇଟାମାଟି ର ବିଶିଷ୍ଟ ପରିବା ବ୍ୟବସାୟୀ ସ୍ୱର୍ଗତ ବାସୁଦେବ ବେହେରା ଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
           

ଶିକ୍ଷାବିତ୍ ଅଶୋକ କୁମାର ନାୟକ ସ୍ୱର୍ଗତ ରାମଙ୍କ ଅସାଧାରଣ ସ୍ମରଣ ଶକ୍ତି ଯୋଗୁଁ କିପରି ସେ ଦୁଇଥର “କୌନ୍ ବନେଗା କରୋଡ ପତି” ଅଡିସନ ପାଇଁ ଯୋଗଦାନ କରିଥିଲେ ତାହା ଉପସ୍ଥାପନା କରିଥିଲେ। ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ସାହୁ, ପ୍ରଦ୍ୟୁମ୍ନ କୁମାର ସାହୁ, ବିଶ୍ଵନାଥ ମହାପାତ୍ର, ଉମେଶ ଚନ୍ଦ୍ର ପଟ୍ଟନାୟକ, ଉମେଶ ଚନ୍ଦ୍ର ସାହୁ, ପ୍ରହଲ୍ଲାଦ ସାହୁ, ଶ୍ୟାମ ସୁନ୍ଦର ପ୍ରଧାନ, କ୍ରୀଷ୍ଣା କୁମାର ଅଗ୍ରୱାଲ, ଜଗନ୍ନାଥ ଦାସ, ରଙ୍ଗନାଥ ବେହେରା, ସଚ୍ଚିଦାନନ୍ଦ ସାଥୁଆ, ପ୍ରଶାନ୍ତ କୁମାର ପ୍ରଧାନ, ଦାମୋଦର ପାତ୍ର, ବଂଶୀଧର ସାହୁ, ନବ କିଶୋର ସାହୁ, ରାଜ କିଶୋର ପୃଷ୍ଟି, ଲୋକନାଥ ସାଥୁଆ, ସନ୍ତୋଷ ପୃଷ୍ଟି, ପତାକା ସାହୁ ଏବଂ ସମାଜ ସେବୀ ଭାଗିରଥୀ ବାଈ ଯୋଗଦାନ କରି ଉଭୟ ସ୍ଵର୍ଗତ ଶ୍ରବଣ କୁମାର ରାମ୍ ଏବଂ ସ୍ଵର୍ଗତ ବାସୁଦେବ ବେହେରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Related posts