ଦୀର୍ଘ ୭୨୦ ବର୍ଷର ପରମ୍ପରାରେ କରୋନା ଲଗାଇଲା ରୋକ

ରଥଖଳା କୁ ଆସିଲେନି ବିଶ୍ଵକର୍ମା
ମହାପ୍ରଭୁ ଚଢ଼ିଲେନି ନନ୍ଦିଘୋଷ

ରଣପୁର,(ନୟାଗଡ଼ ଦର୍ପଣ):- ବିଗତ ବର୍ଷ ରଥ,ପଥ, ଜଗନ୍ନାଥ ସମସ୍ତେ ପ୍ରସ୍ତୁତ ଥିଲେ ଘୋଷଯାତ୍ରା ପାଇଁ। ମାତ୍ର ଅନ୍ତିମ ମୁହୂର୍ତ୍ତରେ କରୋନା କଟକଣା ଲଗାଇଲା ରୋକ। ପୁରୀ ବ୍ୟତୀତ ରଣପୁରରେ ଗଡିବନି ରଥ। ବହୁ ବାଦ ବିସମ୍ବାଦ ଆନ୍ଦୋଳନ ଧର୍ମଘଟ ପରେ ମଧ୍ୟ ମିଳିଲାନି ଅନୁମତି। ନିରାଶ ହୋଇଥିଲେ ସମଗ୍ର ନୟାଗଡ଼ ଜିଲ୍ଲା ସମେତ ରଣପୁର ବ୍ଲକର ଲକ୍ଷ ଲକ୍ଷ ଭକ୍ତ। ତେବେ କରୋନାର ଦ୍ଵିତୀୟ ଲହର ପାଇଁ ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ଆଗରୁ ଲାଗିଗଲା କୋଭିଡ କଟକଣା। ଯେଉଁଥିପାଇଁ ନାଁ ଆସିଲେ ରଥଖଳାକୁ ବିଶ୍ୱକର୍ମା ନାଁ ହେଲା ରଥ ଅନୁକୂଳ । କେବଳ ସୀମିତ ସେବକଙ୍କୁ ନେଇ ଯଥାତଥା ବିଧିର ପାଳନ କରାଗଲା। ପୁରୀ ଯାଇପାରୁନଥିବା ଭକ୍ତଙ୍କ ପାଇଁ ରଣପୁରର ରଥଯାତ୍ରା ଥିଲା ଶ୍ରୀକ୍ଷେତ୍ରର ରଥଯାତ୍ରା। ସେଠି ଯାହା ଵିଧି ବିଧାନ ଏଠି ବି ସେଇଆ। ବିଗତ ବର୍ଷ ରଥ ନିର୍ମାଣ ସରିଥିଲା ମାତ୍ର ଚଳିତ ବର୍ଷ ବହୁ ଆଗରୁ କଟକଣା ଲାଗିଯିବାରୁ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ରଣପୁର ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ବନ୍ଦ କରାଗଲା। ତେବେ ଏ ନେଇ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ମନରେ ଦେଖାଦେଇଛି ଗଭୀର ଅସନ୍ତୋଷ। ଯେଉଁ ରଣପୁର ବଡ଼ଦାଣ୍ଡରେ ଦିନେ ଭକ୍ତ ମାନଙ୍କର ହାଟ ବସୁଥିଲା ଆଜି ସେଇ ବଡ଼ଦାଣ୍ଡରେ ଖାଁ ଖାଁ ଶୂନସାନର ବିକଳ ଚିତ୍ର ଦେଖିବାକୁ ମିଳିଥିଲା। ସେଠି ହୋଇନଥିଲା ଛେରାପହଁରା କି ଗଡ଼ିନଥିଲା ନନ୍ଦିଘୋଷ। କେବଳ ବିଧି ପାଳନ ପୂର୍ବକ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିର ପରିସରରେ ନିର୍ମିତ ହୋଇଥିବା ଅସ୍ଥାୟୀ ଆଡ଼ପ ମଣ୍ଡପରେ ବିଜେ କରାଯାଇଥିଲା।


ଅନୁରୂପ ରାଜସୁନାଖଳାରେ ମଧ୍ୟ ସେଇଦୃଶ୍ୟ ଦେଖିବାକୁ ମିଳିଥିଲା।ଏଠି ମଧ୍ୟ ଦୁଇ ବର୍ଷ ହେଲା ରଥ ଗଡ଼ିବା ବନ୍ଦ ଅଛି। ଅଵଶ୍ୟ ଏଠି କେବଳ ନନ୍ଦିଘୋଷ ରଥ ହିଁ ଗଡ଼ିବାର ବ୍ୟବସ୍ଥା ଥିବାବେଳେ ଆଜି କେବଳ ବିଧି ପାଳନ ପୂର୍ବକ ଭକ୍ତମାନଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ଆଡ଼ପମଣ୍ଡପରେ ବିଜେ କରାଯାଇ ସନ୍ଧ୍ୟା ଆରତୀ ଓ ଦର୍ଶନ ପରେ ରତ୍ନସିଂହାସନରେ ବିଜେ କରାଯାଇଥିଲା। ତେବେ ବାହୁଡା ଦଶମୀ ପର୍ଯ୍ୟନ୍ତ କେବଳ ଆଡ଼ପମଣ୍ଡପରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର କମିଟି ତରଫରୁ କୁହାଯାଇଛି। ଦର୍ଶନ ନିମନ୍ତେ ସମସ୍ତ ପ୍ରକାରର କୋଭିଡ କଟକଣାକୁ ପ୍ରାଧାନ୍ୟ ଦିଆଯିବ ବୋଲି ମଧ୍ୟ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆ.ପ୍ର- ପ୍ରଦୀପ କୁମାର ରଣା
ରାଜସୁନାଖଳା, ମୋ-୯୯୩୮୬୮୮୪୩୨

Related posts