ଦଶପଲ୍ଲା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା କରିବା ଲକ୍ଷ୍ୟନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୮ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହା ସାରା ରାଜ୍ୟରେ ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି। ଏହାରି ମଧ୍ୟରେ ଆଜି ଦଶପଲ୍ଲା ପୁଲିସ ଓ ନୟାଗଡ଼ ପୁଲିସର ମିଳିତ ଉଦ୍ୟମରେ ଦଶପଲ୍ଲା ଠାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ଓ ବୁଦ୍ଧିଜିବୀଙ୍କୁ ନେଇ ସାଇବର ଅପରାଧ ଓ ଏହାର ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ତା, ଏସ୍‌ଡ଼ିପିଓ ଜ୍ୟୋତି ରଂଜନ ସାମନ୍ତରାୟ, ଡ଼ିଏସ୍‌ପି ସୁକାନ୍ତ କୁମାର ପାତ୍ର, ଏନ୍ଏସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରିୟଦର୍ଶିନୀ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଗୋଛି ସଂଯୋଜନା କରିଥିବା ବେଳେ ସୈାମ୍ୟ ରଂଜନ ରଥ ସ୍ବାଗତ ଭାଷଣ ଦେଇଥିଲେ।

Related posts