ନୟାଗଡ଼,(ନୟାଗଡ଼ ଦର୍ପଣ): ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଆଜି ସକାଳ ୮ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲ୍ୟ ବିବାହ ବିରୋଧୀ ସଚେତନତା ଓ ସାମୂହିକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ମହିଳା ସଶକ୍ତିକରଣ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର ତପତି ରାଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଡିପିସି ମିଶନ ଶକ୍ତିଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ।
ଏଥିରେ ପ୍ରାୟ ୩୫୦ ଜଣ ଅଂଶଗ୍ରହଣକାରୀ, ଯେଉଁଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ସମସ୍ତେ ଏକତ୍ରିତ ଭାବେ ବାଲ୍ୟ ବିବାହ ରୋକିବା, ଶିଶୁ ଅଧିକାରର ସୁରକ୍ଷା ଏବଂ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ।
ସମାଜରୁ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ କରିବା ସହ ଏକ ସୁରକ୍ଷିତ ଓ ଶିକ୍ଷିତ ସମାଜ ଗଠନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା।
ବାଲ୍ୟ ବିବାହ ନିରାକରଣ ଓ ଏହାର ପ୍ରତିରୋଧ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ନୟାଗଡ଼ ତ୍ରିନାଥ ଛକସ୍ଥିତ ବ୍ଲକ୍ ମିଶନ ଭବନଠାରେ ଆୟୋଜିତ ହୋଇଥିଲା। ଏଥିରେ ସମସ୍ତ ସିଡିପିଓ, ଡ଼ି ଏଚ ଇଡବ୍ଲୁ କର୍ମଚାରୀ, ମହିଳା ସୁପରଭାଇଜର, ଶିକ୍ଷକ-ଶିକ୍ଷୟିତ୍ରୀ, ପଂଚାୟତ ନିର୍ବାହୀ ଅଧିକାରୀ, ୱାନ ଷ୍ଟପ ସେଣ୍ଟରର କର୍ମଚାରୀ, ମାଟ୍ରନ୍ ଓ ୟୁନିସେଫ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ପ୍ରଶିକ୍ଷଣରେ ବାଲ୍ୟ ବିବାହର କୁପରିଣାମ, ଆଇନଗତ ବ୍ୟବସ୍ଥା, ବାଲ୍ୟ ବିବାହ ଚିହ୍ନଟ ଓ ରୋକିବା ସହ ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରିବା ସମ୍ପର୍କରେ ଆଲୋଚନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗର ସମନ୍ୱୟ ଓ ସକ୍ରିୟ ସହଯୋଗ ମାଧ୍ୟମରେ ନୟାଗଡ଼ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଲକ୍ଷ୍ୟ ଥିଲା।
ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନରେ ସାମୂହିକ ଶପଥ ଗ୍ରହଣ ଓ ପ୍ରଶିକ୍ଷଣ ଶିବିର
