ମହିଷା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହାପାଇଁ ? ଚାଷୀଙ୍କ ଚାଷ ପାଇଁ ନାଁ ମାଛଚାଷ ପାଇଁ ?

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ସାକେଣୀ ଗ୍ରାମ ନିକଟରେ ଥିବା “ମହିଷା“ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାହା ସ୍ୱାର୍ଥରେ ? ଏହି ପ୍ରକଳ୍ପରେ ବର୍ଷା ଋତୁରେ ପାଣି ଗଛିତ ରଖାଯାଇ , ଗ୍ରୀଷ୍ମ ଋତୁରେ ଚାଷୀମାନଙ୍କ ଚାଷକାର୍ଯ୍ୟରେ ସହାୟକ ହେବ ବୋଲି ନିର୍ମାଣ କରାଯାଇଥିଲା ଏହି ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ବାରା ସାକେଣୀ, ନୁଆ ସାହି, ମଶାବାଡି, ବାରିହାପିଟା, ପୋଇବାଡି ଆଦି ଗ୍ରାମ ସହିତ ଆଖପାଖ ବହୁ ଗ୍ରାମର ଚାଷୀ ପରିବାର ଉପକୃତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଖରାଦିନେ ଏହି ପ୍ରକଳ୍ପରେ ପାଣି ଟୋପାଏ ରହୁନାହିଁ । ନାମକୁ ମାତ୍ର ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇ କିଛି ଦଲାଲ୍ଙ୍କ ସହାୟତାରେ ବିଭାଗୀୟ କତ୍ତୁର୍ପକ୍ଷ ମାଛଚାଷ କରି ନିଜ ପକେଟ ଗରମ କରୁଛନ୍ତି । ଗ୍ରୀଷ୍ମ ଋତୁରେ ଚାଷ ପଛେ ମରିଯାଉ, ବର୍ଷା ସମୟରେ ପାଣି ଖାଲି କରି ଆମେ ମାଲାମାଲ ହେବୁ । ଦଲାଲ୍ମାନେ କିଛି ବିଭାଗୀୟ ଅଧିକାରୀମାନଙ୍କୁ ଧରି ମାଛ ଧରିବା ପାଇଁ ବର୍ଷା ଦିନେ ପ୍ରକଳ୍ପରୁ ପାଣି ଖାଲି କରୁଥିବାରୁ ଖରା ସମୟରେ ଚାଷୀମାନେ ପାଣି ଟୋପାଏ ପାଉନଥିବା ଅଭିଯୋଗ ହେଉଅଛି । ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏହି ଘଟଣା ର ଉପଯୁକ୍ତ ତଦନ୍ତ କରି ପ୍ରକଳ୍ପକୁ ନିଜର ସମ୍ପତ୍ତି ଭାବି ନେଇଥିବା ଦଲାଲ ଏବଂ ବିଭାଗୀୟ କିଛି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପାଣିକୁ ଗଚ୍ଛିତ ରଖାଯିବାର ବ୍ୟବସ୍ଥା କରିବାପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଚାଷୀମାନେ ଦାବି ଜଣାଇଛନ୍ତି । ନଚେତ୍ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Related posts