‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଉପରେ ହେବ ଆଲୋଚନା, ଯୋଗଦେବେ ୧୫୦ ଯୁବ ପ୍ରତିଯୋଗୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ରାଷ୍ଟ୍ରୀୟ ଚେତନା ଓ ସଂସଦୀୟ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ନୟାଗଡ଼ରେ ଆୟୋଜିତ ହେବ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ। ଆସନ୍ତା ନଭେମ୍ବର ୬ ତାରିଖରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଅଞ୍ଚଳରୁ ପ୍ରାୟ ୧୫୦ ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।
ଚଳିତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ରହିଛି ‘One Nation, One Election’ (ଏକ ରାଷ୍ଟ୍ର, ଏକ ନିର୍ବାଚନ)। ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଯୁବପିଢ଼ିଙ୍କ ମତାମତ, ବିଚାରଧାରା ଓ ଯୁକ୍ତିପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଏହି ପରିପ୍ରେକ୍ଷୀରେ ନୟାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ମାଇଁ ଭାରତ ନୟାଗଡ଼ର ଜିଲ୍ଲା ଯୁବ ଅଧିକାରୀ (DYO) ସାହିଲ କୁଣ୍ଡୁ, କାର୍ଯ୍ୟକ୍ରମ ଅଧିକାରୀ ଅଶୋକ ବେହେରା ଏବଂ ସେବା ଉତ୍ସବ ସମିତିର ସଭାପତି ଶିବରାମ ମହାପାତ୍ର ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆୟୋଜନ ଓ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ।
ମାଇଁ ଭାରତ ନୟାଗଡ଼ ଏବଂ ସେବା ଉତ୍ସବ ସମିତିର ମିଳିତ ଆନୁକୂଲ୍ୟରେ ଏହି ଯୁବ ସଂସଦ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସାମ୍ବାଦିକ ସମ୍ମିଳନୀକୁ ଜାତୀୟ ଯୁବ ସ୍ୱେଚ୍ଛାସେବୀ ରାଜୀବ ପଣ୍ଡା, ପରମେଶ୍ୱର ସାହୁ ଓ ଦୀପକ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ଏହି ଯୁବ ସଂସଦ ମାଧ୍ୟମରେ ଯୁବପିଢ଼ି ଦେଶର ବିଭିନ୍ନ ନୀତିଗତ ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରିବା ସହ ଭବିଷ୍ୟତର ଦାୟିତ୍ୱବାନ ନାଗରିକ ଓ ନେତୃତ୍ୱ ଭାବେ ନିଜକୁ ଗଢ଼ିତୋଳିବାର ସୁଯୋଗ ପାଇବେ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ଆଗ୍ରହୀ ଯୁବପ୍ରତିଯୋଗୀମାନେ My Bharat ପୋର୍ଟାଲ୍ କିମ୍ବା ମାଇଁ ଭାରତ କାର୍ଯ୍ୟାଳୟରେ ଯୋଗାଯୋଗ କରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
