ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲା ତଥା ରାଜ୍ୟ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ମହାନ ସଂଗ୍ରାହକ, ସାରସତ୍ୱ ସାଧକ ତଥା ଦଶ ପଇସାର ରଜା ଦାଶିଆ ଅଜାଙ୍କ ୧୧୪ତମ ଜନ୍ମବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି ସଂସଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ମୃତି ସଂସଦ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦାନ କରି କଚେରୀ ବଜାର ଛକରେ ଥିବା ଦାଶିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଡ.ପ୍ରମୋଦ ନାୟକ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବିଜେପି ନେତା ସନ୍ତୋଷ ପ୍ରଧାନ, ସମାଜସେବୀ ସୁରେନ୍ଦ୍ରନାଥ ମହାପାତ୍ର, ଶ୍ରୀଧର ସାହୁ, ଶ୍ରୀକାନ୍ତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଲକ୍ଷ୍ମୀଧର ସାହୁ, ଗୋକୁଳ ଷଢ଼ଙ୍ଗୀ, ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ପାଠାଗାରର ସଂପାଦକ ସଞ୍ଜୟ ସାହୁ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ପ୍ରମୁଖ ସହାୟକ ସିଦ୍ଧାର୍ଥ ଦେ ପ୍ରମୁଖ ଯୋଗଦାନ କରି ଦାଶିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସୂଚନା ଯୋଗ୍ୟଯେ ସମସ୍ତଙ୍କ ପ୍ରିୟ ଦାଶିଆ ଅଜାଭାବେ ସମଗ୍ର ଜନମାନସରେ ପରିଚିତ ସ୍ୱର୍ଗତ ବାଞ୍ଛାନିଧି ପଟ୍ଟନାୟକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁରଠାରେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର, ୧୯୭୩ ମସିହାରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ । ସେ ୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ ।

