ନୂଆଗାଁ,(ନୟାଗଡ ଦର୍ପଣ):– ନୂଆଗାଁ ବ୍ଲକ ମାଇଛେଳି ଗ୍ରାମପଂଚାୟତ ଭୂଇଁରଗଡି ଗ୍ରାମ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ ଗ୍ରାମରେ ପାଖାପାଖି ୧୫ ପରିବାର ବର୍ଷ ବର୍ଷଧରି ବସବାସ କରି ଆସୁଛନ୍ତି। ଏହି ଗ୍ରାମର ଲବଣି ବେୱା, ଯୁଗଳ ପ୍ରଧାନ ଓ ମହାଦେଇ ପ୍ରଧାନଙ୍କ ନାମରେ ୨୦୧୭ ମସିହା ଠାରୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା। ସେମାନେ ଘର କରିବାରେ ସକ୍ଷମ ନଥିବା ଜାଣିପାରି ଜଣେ ଠିକାଦାର ଘରକାମ କରିବା ପାଇଁ ଗ୍ରାମରେ ପହଂଚି ପ୍ରତିଶ୍ରୃତି ଦେଇଥିଲେ। ଲବଣି ବେୱାଙ୍କର ୨୦୧୭ ମସିହା ନଭେମ୍ବର ୧୮ ତାରିଖରୁ ଘର କରିବା ପାଇଁ ଅର୍ଥ ପଠା ଯାଇଥିବା ବେଳେ ବର୍ତ୍ତମାନ ବର୍ଷ ପରେ ଛାତପତନ ହୋଇ କାର୍ଯ୍ୟ ଅଟକି ରହିଛି। ସେହିଭଳି ଯୁଗଳ ପ୍ରଧାନଙ୍କର ୨୦୧୭ ମସିହା ନଭେମ୍ବର ୧୭ ତାରିଖରୁ ଆସିଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ଲିନ୍ଥ ଯାଏ କାମ ହୋଇଛି ଏବଂ ମହାଦେଇ ପ୍ରଧାନଙ୍କ ଘର ଛାତପତନ ହୋଇଥିବା ବେଳେ କୌଣସି କାରଣରୁ ତାଙ୍କର ୨୦୧୯ ମସିହାରେ ମୃତ୍ୟୁ ଘଟିବା ପରେ ସେତିକିରେ ତାଙ୍କର କାର୍ଯ୍ୟ ଅଟକି ରହିଛି। ତେବେ ମହାଦେଇଙ୍କୁ ଛାଡିଦେଲେ ଅନ୍ୟ ଦୁଇ ଜଣଙ୍କ ଘର କାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ସମୟରେ ଠିକାଦରଙ୍କର ଗ୍ରାମରେ ପାଦ ପଡୁନଥିବା ହିତାଧିକାରୀ ମାନେ କହିଛନ୍ତି। ବର୍ଷ ବର୍ଷ ଧରି ଅଭିଯୋଗ କରିବା ପରେ ଯେଉଁ ଘର କରିବାର ସ୍ବପ୍ନ ଦେଖିଥିଲେ ତାହା ସ୍ବପ୍ନରେ ରହିଯାଇଥିବା ସେମାନେ କହିଛନ୍ତି। ଯଦି ଠିକାଦାରଙ୍କର ଘର କରାଇବା ପାଇଁ ସାମର୍ଥ୍ୟ ନଥିଲା ତାହାଲେ କ’ଣ ପାଇଁ ଏଭଳି ଅଧପନ୍ତରିଆ ଭାବରେ କାମ କରି ପକାଇଛନ୍ତି ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ତେବେ ଲବଣି ବେୱାଙ୍କର ବୟସ ୬୦ ପାଖାପାଖି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେ ଏକ ଚାଳ ଛପର ଘରେ ରହୁଥିବା ଜଣାପଡିଛି। ତେବେ ଏନେଇ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ଜନପ୍ରତିନିଧି ହୁଅନ୍ତୁ ଅବା ପ୍ରଶାସନିକ କର୍ମଚାରୀମାନେ କେହି ବି ସେମାନଙ୍କ ପ୍ରତି ଗୁରୁତ୍ବ ଦେଉନଥିବା ହିତାଧିକାରୀଗଣ କୋହ ଭରା କଣ୍ଠରେ କାନ୍ଦି କାନ୍ଦି କହିଛନ୍ତି। ସେମାନେ ଯାହାକୁ ଅସମୟର ବନ୍ଧୁ ଭାବି ସହଯୋଗ କରିବା ପାଇଁ ବିଶ୍ବାସ କରି ଆସୁଥିଲେ ସେ ଠିକାଦାର ଶେଷରେ ସ୍ବାର୍ଥପର ହୋଇ କାର୍ଯ୍ୟସ୍ଥଳକୁ ଆଦୌ ଯାଉନଥିବା ସେମାନେ କହିଛନ୍ତି। ଅରକ୍ଷିତକୁ ଦଇବ ସାହା ଭଳି ଆବାସ ଯୋଜନା ପାଇଥିବା ହିତାଧିକାରୀ ମାନେ ନିଜ ନିଜ ଭାଗ୍ୟକୁ ଆଦରି ଚାଳ ଛପର ଘରେ ଚଳୁଥିବା ଦେଖିବାକୁ ମିଳିଛି। ଆଦିବାସୀ ଲୋକ ନୀରିହ ଓ ସରଳ ସ୍ବଭାବର ହୋଇଥିବାରୁ ସେମାନଙ୍କୁ ଠିକାଦାର ଠକିଦେଇ ଛୁ ମାରିଥିବା ଗ୍ରାମର ଲୋକମାନେ କହିଛନ୍ତି। ତେବେ ପ୍ରସାଶନିକ ଅଧିକାରୀମାନେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରିବା ସହ ଗରିବ ନୀରିହ ଆଦିବାସୀ ଲୋକଙ୍କ ଆବାସ ଯୋଜନାରେ ମିଳିଥିବା ଘରକୁ ପୂର୍ଣ୍ଣାଙ୍ଗୀକରଣ କରାଇବା ପାଇଁ ସହଯୋଗର ହାତ ବଢାଇବାକୁ ସ୍ଥାନୀୟ ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି।
ନୂଆଗାଁ ବ୍ଲକ ଭୂଇଁରଗଡ଼ି ଗ୍ରାମରେ ଅଧାଗଢା ହୋଇ ପଡିରହିଛି ଆବାସ ଯୋଜନା
