ତିନି ଇଞ୍ଚର ତିନି ରଥ, ଦିଆସିଲ କାଠିରେ ଝଲସିଲେ ଦାରୁଦେଵତା

ନିଆରା କୀର୍ତ୍ତିମାନ ରଚିଲେ କୁନି ଭକ୍ତ ଶୁଭ୍ରାଂଶୁ

ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ହେଉଛନ୍ତି ଶ୍ରୀଜଗନ୍ନାଥ। ସମଗ୍ର ବିଶ୍ୱରେ ଆଜି ଜଗନ୍ନାଥ ସଂସ୍କୃତିର ଚର୍ଚ୍ଚା, ସମୀକ୍ଷା ଏବଂ ପ୍ରଚାର ପ୍ରସାର ଲାଗିରହିଛି। ସେଇ ଲୀଳାମୟଙ୍କ ବିଚିତ୍ର ଲୀଳାଭୂମିରେ କେତେବେଳେ ସେ ଅବ୍ୟକ୍ତ ମଧ୍ୟରେ ବ୍ୟକ୍ତ ତ ପୁଣି କେବେ ଆକାର ମଧ୍ୟରେ ଅଣାକାର ବ୍ରହ୍ମ।ପୁରୁଷ ମଧ୍ୟରେ ଶ୍ରୀପୁରୁଷୋତ୍ତମ ସେ। ଆବେଗମୟ ପୂର୍ଣ୍ଣବ୍ରହ୍ମ ଲୀଳାମୟ ଠାକୁର ଭାବରେ ଭକ୍ତର ଭାବାବେଗ ସହ ବାନ୍ଧିହୋଇ ରଚନା କରି ଚାଲିଛନ୍ତି ଭାବମୟ ଲୀଳା। ଯେଉଁ ଲୀଳାମୟଙ୍କ ଅନନ୍ୟ ଲୀଳାକୁ ଆର୍ଯ୍ୟ ମୁନୀ ଋଷି ଗଣ ବୁଝି ପାରିନାହାଁନ୍ତି ସେଇ ଲୀଳାକୁ କିଶୋର ବୟସରେ ବୁଝି ପାରିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର କୁନିଭକ୍ତ ଶୁଭ୍ରାଂଶୁ ନାୟକ।


             ଆଦ୍ୟ ଯୌବନର ପ୍ରଥମ ପାହାଚରେ ରହିଥିବା ସବୁ କିଶୋରଙ୍କ ଭଳି ସେ ନୁହଁନ୍ତି। ଆଜିକାର ଟିନ୍ ଏଜରମାନେ ଫେସବୁକ, ହ୍ଵାଟସଆପ ସହିତ ସାଙ୍ଗସାଥି ମେଳରେ ଧୂମ ମସ୍ତି କରିବାର ଏକ ନୂଆ ଟ୍ରେଣ୍ଡ ଚାଲିଥିବାବେଳେ ଶୁଭ୍ରାଂଶୁ କିନ୍ତୁ ସେଥିରୁ ବିରତ ରହି ବୁଡି ରହିଛନ୍ତି ଭାବଭକ୍ତିର ନିଆରା ସ୍ୱପ୍ନ ରାଇଜରେ।ଜଗନ୍ନାଥଙ୍କ ଭକ୍ତିରେ ଉଦବୁଦ୍ଧ ଶୁଭ୍ରାଂଶୁ କେତେବେଳେ ଭକ୍ତସାଜି ସ୍ୱପ୍ନ ସବାରୀରେ ବଡ଼ ଠାକୁରଙ୍କୁ ଓଲ୍ହାଇ ଆଣିଛନ୍ତି ରତ୍ନମୟ ରତ୍ନ ସିଂହାସନରୁ ତ ପୁଣି କେତେବେଳେ ଲୀଳାମୟଙ୍କ ଆଦ୍ୟସେବକର ଭୂମିକା ନିଭାଇ କରିଛନ୍ତି ଛେରା ପହଁରା କରି। ପଣ୍ଡାପୁଅ ସାଜି କେବେ ନୈବେଦ୍ୟ ଅର୍ପଣ କରିଛନ୍ତି ତ ପୁଣି କେବେ ସାଧାରଣ ସେବକ ଟିଏ ସାଜି କଳାମୟ ବଡ଼ଠାକୁରଙ୍କୁ ସଜାଇ ଦେଇଛନ୍ତି ବିବିଧ ବେଶରେ।ଏବେ କିନ୍ତୁ ବିଶ୍ଵକର୍ମା ସାଜି ନିର୍ମାଣ କରିଛନ୍ତି ତିନି ଇଞ୍ଚର ତିନି ରଥ ସମେତ ତିନି ଦାରୁ ଦିଅଁଙ୍କୁ।


           ପ୍ରକାଶ ଥାଉକି, ବିଗତ ଦିନରେ ବଡ଼ ଠାକୁରଙ୍କ ସ୍ୱପ୍ନାଦେଶ ପାଇ ଠାକୁର ମାନଙ୍କ ପୂଜା କରୁଥିଲେ ନିଜ ପୂଜାଘରେ। ପରେ ପରେ ଆରମ୍ଭ କରିଥିଲେ ପୁରୀ ଠାକୁରଙ୍କ ସମସ୍ତ ନୀତିକାନ୍ତି। ଏମିତି କି ଜଗନ୍ନାଥଙ୍କୁ ବିଭିନ୍ନ ବେଶ କରାଇ ସାମାଜିକ ଗଣ ମାଧ୍ୟମ ସହିତ ସମଗ୍ର ରାଜ୍ୟ ବେଶ ଚର୍ଚ୍ଚିତ ହେବା ସହ ପୁଳାପୁଳା ପ୍ରଶଂସା ସାଉଁଟିଥିଲେ ଶୁଭ୍ରାଂଶୁ। ଅଧୁନା ଆଉ ଏକ ନିଆରା ପଦକ୍ଷେପ ନେଇ ଶୁଭ୍ରାଂଶୁ ଆସିଛନ୍ତି ଚର୍ଚ୍ଚାର ପରିସରକୁ। ଦୀର୍ଘ ଏକ ମାସ ପରିଶ୍ରମ କରି ସାମାନ୍ୟ ଦିଆସିଲି କାଠିକୁ ବ୍ୟବହାର କରି ମାତ୍ର ୩ଇଞ୍ଚର ତିନୋଟି ଅବିକଳ ରଥ ସହ ତିନି ଠାକୁରଙ୍କୁ ନିର୍ମାଣ କରି ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି ସେ।

ତିନି ଇଞ୍ଚର ଏହି ତିନି ରଥରେ ତିନି ଠାକୁରଙ୍କ ଦେଖିବାପାଇଁ ଭକ୍ତ ମାନଙ୍କର ଧାଡି ଲମ୍ବିଛି ବୋଲି କହିଛନ୍ତି ଶୁଭ୍ରାଂଶୁ। ଜଗନ୍ନାଥଙ୍କ ଭକ୍ତିରେ ତଲ୍ଲୀନ ଏହି କିଶୋରଙ୍କୁ କେହିକେହି କୁନି ବଳରାମ ଦାସ କହୁଥିବା ବେଳେ କେହି ତାଙ୍କୁ ମଥୁରାପୁରର କୃଷ୍ଣ ବୋଲି ସମ୍ବୋଧନ କରୁଛନ୍ତି। ଆଜିକାର ଯୁବପୀଢ଼ି ମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ଭାବେ ଅବିହିତ କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ ମାନେ । ଦ୍ଵାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏହି କିଶୋରଙ୍କ ଏଭଳି ଜଗନ୍ନାଥ ଭକ୍ତିକୁ ଦେଖି ରାଜସୁନାଖଳା ସଂଲଗ୍ନ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥ, ଜଗନ୍ନାଥ ଭକ୍ତ, ମଠ ମହନ୍ତ ମାନେ ଶୁଭ୍ରାଂଶୁଙ୍କୁ ଭେଟି ଆଶୀର୍ବାଦ ପ୍ରଦାନ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ତାଙ୍କ ପରିବାର ଵର୍ଗ।
ପ୍ରଦୀପ କୁମାର ରଣା, ମୋ-୯୯୩୮୬୮୮୪୩୨

Related posts