ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ ଦ୍ଵାରା ପରିଚାଳିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ସଂଘର ବିକ୍ଷୋଭ। ଆଜି ଦଶପଲ୍ଲା ମଣ୍ଡଳ ଶିକ୍ଷା ଅଧିଆରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି। ବିକ୍ଷୋଭ ପୂର୍ବରୁ ଦଶପଲ୍ଲାର ଶିକ୍ଷକ ଭବନ ପରିସରରେ ଏକ ସାଧାରଣ ସଭା ସଭାପତି ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପାଚିକାମାନଙ୍କର ବହୁବିଧ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହିସଭାରେ ସଂଘର ନୟାଗଡ଼ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ, ସିଆଇଟିୟୁ ଜିଲ୍ଲା ଆବାହକ କମ୍ରେଡ୍ ବିଶ୍ଵନାଥ ମହାପାତ୍ର କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ଯୁବନେତା ସୁଶାନ୍ତ ନାୟକ ଓ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟି ସମ୍ପାଦକ ବିପିନ ବିହାରୀ ବାଜୁ ପ୍ରମୁଖ ଆଲୋଚନା କରିଥିଲେ।

ଏହି ସଭାପରେ ହାତରେ ପତାକା ଓ ପ୍ଲାକାର୍ଡ ଧରି ଏକ ସୁଶୋଭିତ ପଟୁଆର ବିଈଓଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା। ଏହି ଆନ୍ଦୋଳନର ମୁଖ୍ୟ ଦାବି ଗୁଡ଼ିକ ଭିତରେ ମଧ୍ୟାହ୍ନ ଭୋଜନ କର୍ମୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହିତ ମାସିକ ଛବିଶ ହଜାର ଟଙ୍କା ଦରମା, ମଧ୍ୟାହ୍ନ ଭୋଜନକୁ ଘରୋଇ କରଣ କରିବା ପ୍ରକ୍ରିୟା ବନ୍ଦ କରିବା, ବେଆଇନ ଛଟେଇ ବନ୍ଦ କରିବା ଓ ଛଟେଇ ପାଚିକାମାନଙ୍କୁ ପୁନନିଯୁକ୍ତି କରିବା, ଅବସର କାଳୀନ ବୟସ ସୀମାକୁ ୬୦ରୁ ୬୫ ବର୍ଷକୁ ବୃଦ୍ଧି କରିବା, ୯ ମ ଓ ୧୦ ମ ଶ୍ରେଣୀ ପାଇଁ ତୁରନ୍ତ ପାଚିକା ନିଯୁକ୍ତି କରିବା ଏବଂ ଛଟେଇ ହୋଇ ରହିଥିବା ପାଚିକା ମାନଙ୍କୁ ସେହି ସ୍ଥାନରେ ନିଯୁକ୍ତି ଦେବା ସହିତ ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି କରିବା ସହିତ ସେଥିପାଇଁ ଅଧିକ ଅର୍ଥ ବରାଦ କରିବା ପ୍ରଭୃତି ଏକ ୧୩ଦଫା ସମ୍ବଳିତ ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ବି ଇ ଓ ଙ୍କୁ ପ୍ରଦାନ କରାଯାଇଥିଲା ଏବଂ ସ୍ଥାନୀୟ ସମସ୍ୟା ଗୁଡ଼ିକ ତୁରନ୍ତ ସମାଧାନର ପ୍ରତିଶ୍ରୁତି ବିଈଓଙ୍କ ଠାରୁ ପାଇଲା ପରେ ବିକ୍ଷୋଭ ଆନ୍ଦୋଳନ ସମାପ୍ତ କରାଯାଇଥିଲା।ଏହି ଆନ୍ଦୋଳନରେ ଦଶପଲ୍ଲା ବ୍ଲକର ସମସ୍ତ ବିଦ୍ୟାଳୟର ପାଚିକା/ସହାୟିକା ମାନେ ଯୋଗଦେଇଥିଲେ।

Related posts