ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳ ଭାବେ ବରକନ୍ୟା ଝରଣାକୁ ସାମିଲ କରିବାକୁ ରାଜ୍ୟ ସରକାର ସ୍ବୀକୃତି ଦେଇଛନ୍ତି। ହେଲେ ସାଢେ ୩ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଆଗଉ ନଥିବା ବେଳେ ସାଢେ ୪କୋଟି ଟଙ୍କା ଫେରିଯିବା ସ୍ଥିତିରେ ରହିଛି। ବହୁ ବାଦ ବିବାଦ ପରେ ବରକନ୍ୟା ଝରଣାର ବିକାଶ କାର୍ଯ୍ୟ ପାଇଁ ନୟାଗଡ଼ ରେଞ୍ଜରଙ୍କୁ ଦାୟିତ୍ଵ ଦିଆଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ। ଏବେ ବରକନ୍ୟା ଝରଣା ପର୍ଯ୍ୟଟନ ମାନଚିତ୍ରରୁ ଲିଭିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।ସୂଚନା ଅନୁଯାୟୀ, ନୟାଗଡ଼ ବନଖଣ୍ଡ ଅଧୀନ ପଞ୍ଚିରିଡ଼ା ବନାଞ୍ଚଳର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ନିକଟରେ ବରକନ୍ୟା ଝରଣା ବହି ଯାଇଛି। ଏଠାରେ ବର୍ଷସାରା ପାହାଡ଼ ଉପରୁ ତଳକୁ ପାଣି ପଡିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ମଧ୍ୟରେ ଝରଣାର କୁଳୁ କୁଳୁ ଶବ୍ଦ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏହି ଝରଣାକୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିବାକୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ସାଢେ ୪କୋଟି ଟଙ୍କା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ପ୍ରଦାନ କରାଯାଇଛି। ଏହା ବନ ବିଭାଗ ଅଧୀନରେ ଥିବାରୁ ଜଙ୍ଗଲ ବିଭାଗର ସ୍ବୀକୃତି ମିଳିବା ପରେ ଟେଣ୍ତର ହୋଇ କାମ ଆରମ୍ଭ ହୋଇଛି। ତେବେ ଏହି ଅର୍ଥକୁ ବାଟବଣା କରିବାକୁ ଯୋଜନା ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ବନ ବିଭାଗ କର୍ମଚାରୀଙ୍କୁ ହାତବାରିସି କରି ୧ କୋଟି ଟଙ୍କା ଖର୍ଚ୍ଚ କରାଗଲା। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସମନ୍ଵୟ ଅଭାବରୁ କାମ ବନ୍ଦ ହୋଇ ପଡ଼ିରହିଛି। ବରକନ୍ୟା ଝରଣାର ବିକାଶ ପାଇଁ ବନ ବିଭାଗର ଆନ୍ତରିକତା ନଥିବାରୁ କାମ ଅଧପାନ୍ତରିଆ ଅବସ୍ଥାରେ ପଡ଼ିରହିବା ଓ ସବୁ ଅନୁଦାନ ଫେରିଯିବା ନେଇ ଆଶଙ୍କା ଦେଖାଦେଇଥିବା
ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତଳୁ ପାହାଡ଼ ଉପରକୁ ଚଢିବାକୁ କେବଳ ପଥରରେ ପାହାଚ ନିର୍ମାଣ କାର୍ଯ୍ୟ ହୋଇଛି। ଏହା ସହିତ ପର୍ଯ୍ୟଟନ କ୍ଷେତ୍ରକୁ ଆସୁଥିବା ଯାତ୍ରୀଙ୍କ ରହିବା ପାଇଁ କାମଆରମ୍ଭକରାଯାଇଛି। ହେଲେ ବିକାଶ ଲାଗି ଅନୁଦାନ ମଞ୍ଜୁରୀ ହୋଇଥିଲେ ହେଁ ତାହା ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେତିକି ନୁହଁ ବରକନ୍ୟା ଝରଣା ବୁଲିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏଠାରେ ରହିବା ପାଇଁ ଘର କିମ୍ବା ସେମିତି କିଛି ସୁବିଧା ନଥିବାରୁ ନିରାଶ ହୋଇ ପର୍ଯ୍ୟଟକ ଫେରୁଛନ୍ତି।
ବରକନ୍ୟା ଝରଣାକୁ ପ୍ରଶାସନର ଅଣଦେଖା
