ନୟାଗଡ଼,(ନୟାଗଡ଼ ଦର୍ପଣ): ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ‘ଛେରାପହଁରା’ ନୀତି ସମ୍ପନ୍ନ ହେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୟାଗଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରାର ସୁରକ୍ଷା ଦାବିରେ ‘ଶ୍ରୀଜଗନ୍ନାଥ ପରମ୍ପରା ସୁରକ୍ଷା ମଞ୍ଚ’ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ପରମ୍ପରା ସୁରକ୍ଷା ପାଇଁ ଦାବି
ରାଜରାଜୁଡ଼ା ଅମଳରୁ ପ୍ରଚଳିତ ପରମ୍ପରା ଅନୁଯାୟୀ ଛେରାପହଁରା ନୀତି ରାଜାଙ୍କ ଦ୍ୱାରା ସମ୍ପାଦିତ ହୋଇଆସୁଥିଲା। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଉପଜିଲ୍ଲାପାଳ ଏହି ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଜଗନ୍ନାଥ ପ୍ରେମୀମାନେ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ଦାବି ହେଉଛି, ଉପଜିଲ୍ଲାପାଳଙ୍କ ବଦଳରେ ମନ୍ଦିର ପରିଚ୍ଛା କିମ୍ବା ରାଜାଙ୍କ ପ୍ରତିନିଧି ମୁଦିରଥଙ୍କ ଦ୍ୱାରା ଏହି ନୀତି କରାଯାଉ। ଏ ସମ୍ପର୍କରେ ବରିଷ୍ଠ ନାଗରିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ କହିଛନ୍ତି, “ଛେରାପହଁରା ପରି ଏକ ଆଧ୍ୟାତ୍ମିକ ସେବାକୁ ସରକାରୀକରଣ କରାଯିବା ଗ୍ରହଣୀୟ ନୁହେଁ। ପ୍ରଶାସନ ଯଦି ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କରେ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ।”ରଥଯାତ୍ରା ସମୟରେ ଉପଜିଲ୍ଲାପାଳଙ୍କୁ ଛେରାପହଁରା କରିବାକୁ ଦିଆଯିବ ନାହିଁ। ରଥ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରି କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରାଯିବ ଏବଂ ରଥ ଗଡ଼ାଇ ଦିଆଯିବ ନାହିଁ।
ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ସହରର ପ୍ରତ୍ୟେକ ଘରେ କଳାପତାକା ଲଗାଇ ପ୍ରତିବାଦ କରାଯିବ।ଆଜିର ଏହି ଶୋଭାଯାତ୍ରାରେ ଶତାଧିକ ଜଗନ୍ନାଥ ପ୍ରେମୀ ଏବଂ ବହୁ ବୁଦ୍ଧିଜୀବୀ ସାମିଲ ହୋଇ ପରମ୍ପରା ରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି।
