ବସିରନ ବିବିଙ୍କ ଶିଶୁ ଓ କିଶୋର କବିତା
ବରଷା ରାଣୀ
ବରଷା ରାଣୀ ତା’ ଆଖିରେ ପାଣି
ରୁଷିଗଲେ ଜମା, ଡାକ ଶୁଣେନି
ମୁହଁକୁ ଫୁଲାଇ, ବସି ପଡିଥିଲେ
ସୂରୁଜ ଲୁଚଇ ଦେଖି ତା’ ଠାଣି
ଆଖିରେ ପାଣି ତା’ ଆଖିରେ ପାଣି (୧)
ଖରା ତେଜେ ଧରା ହେଲେ ତପତ
ଶୁଖିଯାଏ ନଦୀ ନିର୍ଝର ଗାତ୍ର
ପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତ
ଦେଖି ଭୁଲିଯାଏ ରାଗ ରୁଷାଣୀ ।
ଆଖିରେ ପାଣି, ତା ଆଖିରେ ପାଣି ( ୨)
ଗଛ ଲତାଙ୍କର ଝାଉଁଳା ଦେହ
ଦେଖି କଳିନିଏ ମାଟିର କୋହ,
ଦରଦୀ ଛାତି ତା’ କୋରି ହୋଇଯାଏ
ଜଗତ କଲ୍ୟାଣେ, ଜାଗେ ତତକ୍ଷଣି
ଆଖିରେ ପାଣି, ତା’ ଆଖିରେ ପାଣି (୩)
ଦେଖେ ମଉସୁମୀ ସାଗରୁ ଉଠି
ଆସୁଅଛି ତାର ହେବାକୁ ସାଥୀ
କଳାମେଘି ପାଟ ଜଡାଇ ଦେହରେ
ତା’ ସାଙ୍ଗରେ ଧାଇଁ ଯାଏ ସେ କ୍ଷଣି
ବରଷାରାଣୀ, ତା’ ଆଖିରେ ପାଣି (୪)
ଧାଇଁ ଯାଉ ଯାଉ ନଭ ପଥରେ
ଝୁଣ୍ଟିପଡେ ଯେବେ, ଉଚ୍ଚ ନଗରେ
ବହେ ଝରଝର, ତା’ର ଲୁହଧାର ।
ସେ ଲୁହରେ ଭିଜିଯାଏ ଧରଣୀ
ବରଷା ରାଣୀ ତା’ ଆଖିରେ ପାଣି (୫)
ସେ ଲୁହରେ ଭିଜେ ଗିରି କନ୍ଦର
ଭରିଯାଏ ଯେତେ ନଦୀ ନିର୍ଝର
କୂପ ତଡାଗ ରେ ଭରିଯାଏ ଜଳ
ସବୁଜ ଶୋଭାରେ ହସେ ଧରଣୀ
ବରଷା ରାଣୀ, ତା ଆଖିରେ ପାଣି (୬)
ବସିରନ ବିବି, ଶିଶୁ ସାହିତ୍ୟିକା, ନଯାଗଡ