ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକରେ ନୂତନ ଭାବେ ଗଠିତ ବ୍ଲକ କୃଷକ ପରାମର୍ଶଦାତା କମିଟି (BCAF)କୁ ଜିଲ୍ଲାପାଳ ତଥା ଜିଲ୍ଲା ATMAର ଅଧ୍ୟକ୍ଷଙ୍କ ଅନୁମୋଦନ ମିଳିବା ପରେ ଶୁକ୍ରବାର ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସର୍ବସମ୍ମତିକ୍ରମେ ନିର୍ମଳ କୁମାର ମତ୍ତଗଜସିଂହ ATMA (Agricultural Technology Management Agency)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ରଣପୁର ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସକାଳ ୧୦ଟାରେ ଆୟୋଜିତ ଏହି ବୈଠକରେ ବ୍ଲକ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟମାନେ ଯୋଗଦେଇଥିଲେ। ପ୍ରଥମେ ସମସ୍ତ ସଦସ୍ୟଙ୍କର ପରିଚୟ ପ୍ରଦାନ କରାଯିବା ପରେ ATMA ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ମଳ କୁମାର ମତ୍ତଗଜସିଂହଙ୍କ ନାମ ପ୍ରସ୍ତାବିତ ହୋଇଥିଲା। ତାଙ୍କ ନାମକୁ ସମସ୍ତ ସଦସ୍ୟଙ୍କ ସମର୍ଥନ ମିଳିବା ପରେ ସେ ସର୍ବସମ୍ମତିକ୍ରମେ ATMAର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ଉପସ୍ଥିତ ସଦସ୍ୟମାନେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧିତ କରିଥିଲେ।
ନବନିର୍ବାଚିତ ଅଧ୍ୟକ୍ଷ ନିର୍ମଳ କୁମାର ମତ୍ତଗଜସିଂହ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ରଣପୁର ଅଞ୍ଚଳରେ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତିରେ ଚାଷକାର୍ଯ୍ୟକୁ ଅଧିକ ପ୍ରୋତ୍ସାହିତ କରାଯିବ। ଚାଷୀମାନଙ୍କୁ ଉନ୍ନତମାନର ବିହନ, ସାର ଓ କୃଷି ଉପକରଣ ଯୋଗାଇବା ସହ ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ ଯୋଜନା ଓ ପ୍ରୋତ୍ସାହନ ରାଶି ସଠିକ୍ ଭାବେ ପହଞ୍ଚାଇବା ଦିଗରେ ସେ କାର୍ଯ୍ୟ କରିବେ। ଏଥିସହ ଚାଷୀଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣି ସେମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସଦା ଚେଷ୍ଟା ଜାରି ରଖିବେ ବୋଲି କହିଥିଲେ।
ରଣପୁର ଅଞ୍ଚଳର କୃଷି ଉନ୍ନତି ଓ ଚାଷୀଙ୍କ କଲ୍ୟାଣ ଦିଗରେ ନୂତନ ଅଧ୍ୟକ୍ଷଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ବୈଠକରେ ଉପସ୍ଥିତ ସଦସ୍ୟମାନେ ଆଶା ପ୍ରକାଶ କରିଥିଲେ।
ରଣପୁର ବ୍ଲକ ATMAର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ନିର୍ମଳ କୁମାର ମତ୍ତଗଜସିଂହ
