ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ ୪ଟାରେ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି।

ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଏବଂ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଓ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଜିଲ୍ଲାର ବିକାଶ ଧାରାକୁ ଆହୁରି ସୁଦୃଢ଼ କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସ୍ମାର୍ଟଫୋନ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ଏବଂ ଚରଖ ବଣ୍ଟନ କରାଯାଇଥିଲା। ଏହା ଫଳରେ ହିତାଧିକାରୀମାନେ ସରକାରୀ ସହାୟତା ଓ ଡିଜିଟାଲ ସେବାର ଅଧିକ ସୁବିଧା ପାଇପାରିବେ ବୋଲି ଆଶା ପ୍ରକଟ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ହିତାଧିକାରୀ ଓ ସାଧାରଣ ଜନତା ଉପସ୍ଥିତ ରହିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

