ନିଖିଳ ଓଡ଼ିଆ ପାଠକ ମଞ୍ଚରେ “ସାହିତ୍ୟର ପାର୍ବଣ”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ ପକ୍ଷରୁ ଏକ ସରସ ଓ ବିଦଗ୍ଧ ସାହିତ୍ୟ ଆସର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ପାଠକୀୟ ଚର୍ଚ୍ଚା ଓ ସୃଜନଶୀଳ ଅଭିବ୍ୟକ୍ତିର ଏହି ମିଳନ ମଞ୍ଚରେ ସାହିତ୍ୟପ୍ରେମୀମାନଙ୍କ ଉତ୍ସାହଜନକ ଉପସ୍ଥିତି ପରିଲକ୍ଷିତ ହୋଇଥିଲା।
କାର୍ଯ୍ୟକ୍ରମର ଶୁଭାରମ୍ଭ ବିଶିଷ୍ଟ ନାଟ୍ୟକାର ଓ ସମାଜସେବୀ କମ୍ରେଡ୍ ବିଶ୍ୱନାଥ ମହାପାତ୍ର ଏବଂ ବରିଷ୍ଠ ସାହିତ୍ୟ ସଂଗଠକ ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ନିଜ ଅଭିଭାଷଣରେ *‘ନିଖିଳ ଓଡ଼ିଆ ପାଠକ ମଞ୍ଚ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗତ ୧୫ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ଏହାର ସୃଜନମୂଳକ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଆସରର ମୁଖ୍ୟ ଆକର୍ଷଣ ଥିଲା କବିତା ଆବୃତ୍ତି ଓ ଗଳ୍ପ ପଠନର ଯୁଗଳ ପରିବେଷଣ। ଉପସ୍ଥିତ ଦର୍ଶକ ଓ ପାଠକମାନେ ପ୍ରସ୍ତୁତ କୃତିଗୁଡ଼ିକ ଉପରେ ନିଜସ୍ୱ ପାଠକୀୟ ଅନୁଭୂତି, ମତାମତ ଓ ସମୀକ୍ଷା ରଖି ସାହିତ୍ୟିକ ଚର୍ଚ୍ଚାକୁ ଅଧିକ ସାରଗର୍ଭୀ କରିଥିଲେ।

ଏହି ସାହିତ୍ୟ ଆସରରେ କବି ଚନ୍ଦ୍ରବିଜୟୀ ମିଶ୍ର, କମଳ ଦାସ, ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରଭାତ ମିଶ୍ର, ଗୁଣନିଧି ମହାପାତ୍ର, ସରୋଜ ସାହୁ, ପ୍ରଭୁଦତ୍ତ ପ୍ରଧାନ ଓ ଉଷାମଣି ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ। ସେହିପରି ଅଧ୍ୟାପକ ଆଶୁତୋଷ ମିଶ୍ର, କମ୍ରେଡ୍ ବିଶ୍ୱନାଥ ମହାପାତ୍ର, ଶେଖ୍ ଅବଦୁଲ୍ ଖାଲିକ୍, ଗୋପୀନାଥ ସେଠୀ ଓ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ସ୍ଵକୀୟ ଗଳ୍ପ ପଠନ ମାଧ୍ୟମରେ ସଭାକୁ ସମୃଦ୍ଧ କରିଥିଲେ।
କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ରସସିକ୍ତ କରିବାରେ ସଂଯୋଜିକା କ୍ଷଣପ୍ରଭା କର ଓ ଅଧ୍ୟାପିକା ନୀଳିମା ନନ୍ଦଙ୍କ ସଂଚାଳନ ଉଲ୍ଲେଖନୀୟ ଥିଲା। ଶେଷରେ ସଂଗଠନର କାର୍ଯ୍ୟନିର୍ବାହୀ ସମ୍ପାଦକ ଗୋପୀନାଥ ସେଠୀ ଓ ଶୁଭ୍ରାଂଶୁ ବିଶ୍ୱାଳଙ୍କ ଆୟୋଜିତ ନୈଶ ଭୋଜି ସହ କାର୍ଯ୍ୟକ୍ରମର ସମାପନ ହୋଇଥିବା ବେଳେ, ସମ୍ପାଦକ ଗୁଣନିଧି ମହାପାତ୍ର ଉପସ୍ଥିତ ସଭାସଦ୍‌ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Related posts