ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଏବଂ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଉପରେ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମ୍ୟାଲେରିଆ, ଡେଙ୍ଗୁ , ଡାଇରିଆ ଏବଂ ଜାତୀୟ କୃମିନାଶକ ଦିବସ ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ଷା ଋତୁରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଇତ୍ୟାଦି ରୋଗ ଅତି ସହଜରେ ଉଚ୍ଚ ହାରରେ ବ୍ୟାପିଥିବାରୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ସ୍ୱାସ୍ଥ୍ୟ ବିଭାଗ ଲୋଡ଼ିଥିଲେ । ଗରମ ରନ୍ଧା ଖାଦ୍ୟ ଖାଇବା, ମଶାରି ଟାଙ୍ଗି ଶୋଇବା, ଘର ଚାରିପାଖ ଅଳିଆ ଆବର୍ଜନା ମୁକ୍ତ କରିବା, ସାତ ଆଠଦିନ ଧରି ଗୋଟିଏ ଜାଗାରେ ପାଣି ଜମାକରି ନ ରଖିବା ଇତ୍ୟାଦି ଉପରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବନମାଳି ପ୍ରଧାନ କହିଥିଲେ।

ସେ ସୂଚନା ଦେଇଥିଲେ ଯେ, ଗ୍ରାମାଂଚଳରେ ସମସ୍ତ ଆଶାକର୍ମୀମାନେ ଘରକୁ ଘର ବୁଲି ଜୁଲାଇ ୧ତାରିଖ ଠାରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ବାତଜ୍ୱର ଇତ୍ୟାଦି ରୋଗ ଉପରେ ସର୍ଭେ କରୁଛନ୍ତି । ଏଥିରେ ଜନସାଦାରଣ ସେମାନଙ୍କୁ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦାସ ବିଭିନ୍ନ ବିଭାଗର କି ପ୍ରକାର ସହଯୋଗ ରହିବ ସେ ସମ୍ବନ୍ଧରେ ବିଭିନ୍ନ ବିଭାଗକୁ ପଚାରି ବୁଝିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ-ତଥା-ଅଧିକ୍ଷକ ଡା. ଅଜୟ କୁମାର ବାହିନୀପତି କହିଥିଲେ ଯେ, ପରିସ୍ଥିତି ଓ ପରିବେଶକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ପରାମର୍ଶ ଦେଇଥାଏ । ଯେମିତିକି , ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଧିନରେ ଥିବା ଆବାସିକ ବିଦ୍ୟାଳୟଗୁଡ଼ିକ ଅଧିକାଂଶ ଦୁର୍ଗମ ଅଂଚଳରେ ବଣଜଙ୍ଗଲ ପରିବେଶରେ ଥାଏ । ଏଠାରେ ଉପରୋକ୍ତ ଭେକ୍ଟରବର୍ଣ୍ଣ ରୋଗ ସହିତ ସାପ କାମୁଡ଼ାର ଭୟ ବି ଥାଏ । ତେଣୁ ସେହି ବିଦ୍ୟାଳୟଗୁଡ଼ିକରେ ସାପ କାମୁଡ଼ାର ପ୍ରାଥମିକ ଚିକିତ୍ସା ପାଇଁ ସେଠାରେ ନିଯୁକ୍ତ ଶିକ୍ଷକ ତଥା ଆଶା, ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆମେ ଶିକ୍ଷା ତଥା ପରାମର୍ଶ ଦେବା।

ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନିଳିମା ଲାକ୍ରା,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡା. ଶରତ ଚନ୍ଦ୍ର ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଲେପର୍ଷି) ଡା.ତାରକ ପ୍ରସନ୍ନ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ମଂଚରୁ ଆଜିର ବୈଠକ ଉପରେ ନିଜ ନିଜର ସୁପରାମର୍ଶ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କଅଁର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦୟାନିଧି ନାୟକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ,ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀମତୀ ସ୍ନେହଲତା ଆଚାର୍ଯ୍ୟ, ସମସ୍ତ ଏନ.ଏ.ସି.ର ନିର୍ବାହୀ ଅଧିକାରୀ,ସ୍ୱାସ୍ଥ୍ୟ ବିଭାଗରୁ ଶ୍ରୀ ଆଲୋକ ପଟେଲଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Related posts