କବି: ପର୍ଦ୍ଦା ଆଢ଼ୁଆଳର ମଣିଷ
ଲେଖକ:- ଗୋଦାବରୀଶ ମିଶ୍ର
ବାହାରକୁ ନିରୀହ ଲାଗନ୍ତି । ନିରହଂକାରୀ ଲାଗନ୍ତି, ନଜାଣିବା ମଣିଷ ଭଳି ଲାଗନ୍ତି, ଯିଏ ଏଇଭଳି ଲାଗନ୍ତି ସେ କବି । କବି ଅଉ କେହି ନୁହଁନ୍ତି; ଏଇ ଧୂଳି ଧରଣୀର ଜଣେ ପଥଚାରୀ । ଭିନ୍ନ ଭିନ୍ନ ବାଟରେ ବୁଲନ୍ତି । ଭିନ୍ନ ଭିନ୍ନ କଥା କହନ୍ତି, ଗୀତ ଗାଆନ୍ତି, ଦୁଃଖ ଦିଅନ୍ତି; ଦୁଃଖ ନିଅନ୍ତି । କହୁଥାଆନ୍ତି ବୋଲି ସେ କବି । ସ୍ରଷ୍ଟାଟିଏ, କଥାକୁ ବଦଳାଇ କହିଦେଇ ପାରୁଥିବାରୁ ସେ କବି । ଲେଖିବା ତାଙ୍କର ଧର୍ମ । ଅନ୍ତରର ଭାବନାକୁ, ଜଗତର ଦୃଶ୍ୟକୁ ସେ ଦେଖି ଲେଖୁଥିବାରୁ ସେ ହୁଏ ମନୀଷୀ । କବି ମାୟା ମନୀଷୀର ଭୂମିକାରେ ଅଭିନୟ କରେ । ସେ ଜଣେ ଶ୍ରେଷ୍ଠ ଅଭିନେତା Prompter। ଆଢ଼ୁଆଳରେ ରହି କହନ୍ତି, କାବ୍ୟ ନାଟକଟିକୁ ସଫଳ କରିବାରେ ତାଙ୍କର ଭୂମିକା ସ୍ମାରକ ହିସାବରେ ମହତ୍ତ୍ୱପୂର୍ଣ୍ଣ।
ସେ ସାଇତି ରଖନ୍ତି ନିଜ ଅନ୍ତରରେ ଅୟୁତ ବେଦନାକୁ; କିନ୍ତୁ ପ୍ରକାଶ କରନ୍ତି ଅମୃତର ବାଣୀ । ସେ କହନ୍ତି- “ବିଶ୍ୱ ଦେଖ ମଧୁମୟ” । “ମୁଁ ଯେ ଅମୃତ ସାଗର ବିନ୍ଦୁ” “ଅହଂବ୍ରହ୍ମାସ୍ମି” ସେଦିନ ଜଙ୍ଗଲରେ ବୁଲୁବୁଲୁ ଋଷି ବାଲ୍ମୀକି ବିଚିତ୍ର ଦୃଶ୍ୟ ଦେଖିଲେ, ପଦିଏ ଗୀତ ଲେଖିଲେ -
“ମା ନିଷାଦ ପ୍ରତିଷ୍ଠା ତ୍ୱାମାଗମଃ ଶାଶ୍ୱତୀ ସମାଃ-
ଯତ୍ କୌଂଚ ମିଥୁନାତ୍ ଏକମ୍ବଧିଃ କାମମୋହିତମ୍ ।”
ଲେଖାହେଲା ବିରାଟ ଗ୍ରନ୍ତ ରାମାୟଣ । କବିତା ଚିରକାଳର ହୋଇଗଲା । ଗୀତ ଗାଇଲା ସାରସ୍ୱତ ପୃଥିବୀର । କବି ଗୌଣ ହୋଇଗଲେ, ସୃଷ୍ଟି ହୋଇଗଲା ସାରସ୍ୱତ । ନିଜସ୍ୱ ଗୌରବରେ, ଗାରିମାରେ, ଭାବରେ, ଭାଷାରେ, ଚିନ୍ତନରେ କବି କଥା କହିଥାଆନ୍ତି । କୁହାଯାଇଛି- “କବିରେବଃ ପ୍ରଜାପତିଃ”।
କିଛି କବିଙ୍କର କବିତା ପଢ଼ିଲେ ଦେହରେ, ମନରେ, ପ୍ରାଣରେ ସୃଷ୍ଟି ହୁଏ ରୋମାଂଚ । ଏହି ରୋମାଂଚ ହିଁ ବଢ଼ାଇଥାଏ ସାହିତ୍ୟର ଚିରନ୍ତନତା । କବି ଲେଖିଦେଲେ-
“ଜୀବନ ପାତ୍ର ମୋ ଭରିଛ କେତେ ମତେ
ନଦେଲେ ବୋଲି କିଛି କହିବି କିହେ ଆଉ
ଜୀବନ ପ୍ରିୟତମ ହରିଛ ମୋ ଭରମ
ତରଣୀ ମୋର ତବ ସାଗରେ ଭାସିଯାଉ ।”
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ”
ଇତ୍ୟାଦି ଇତ୍ୟାଦି। ଏଥିରୁ ବୁଝାପଡ଼େ କବିର ଚିନ୍ତନ କେତେ ନିରପେକ୍ଷ... କେତେ ନିର୍ଭେଜାଲ? ସ୍ରଷ୍ଟାଠୁ ସୃଷ୍ଟି ବିଚ୍ଛିନ୍ନ । ବ୍ୟକ୍ତି ଚେତନାଠୁ ଉର୍ଦ୍ଧ୍ୱରେ କବିତା । ନିଜସ୍ୱ ସୌନ୍ଦର୍ଯ୍ୟ ସତ୍ତାରେ କବିର ଚିଦାକାଶ ପ୍ରକମ୍ପିତ ଭୂମିର ଭୂମା ଯାଏଁ, ଦାଣ୍ଡରୁ ବଡ଼ ଦାଣ୍ଡ ଯାଏଁ, ଦଣ୍ଡରୁ ଡୁମ୍ପା ଯାଏ । ଦାଣ୍ଡ ପଡ଼ିଛି ଦଣ୍ଡ ଯାତ୍ରା ପାଇଁ । ବାଡ଼ ପଡ଼ିଛି ଲତାକୁ ବଢ଼ାଇବା ପାଇଁ । ତୋଠ ଅଛି, ଘାଟଅଛି, ଘଟ ଅଛି, ଘଟଣା ଅଛି । କିନ୍ତୁ କବି ଶିହରିତ ଚେତନାରେ ସନ୍ତରଣ କରୁଛି ମୁର୍ହୂ ମୁହୂର୍ତ୍ତ ସାହିତ୍ୟର ସରୋବରରେ । କବି ପାଠକଙ୍କୁ ନିଜସ୍ୱ ବାସନାରେ, ସମର୍ପଣରେ... ସମାୟନରେ ବାନ୍ଧିରଖେ ଚିରକାଳ ।
କବି ଆପଣା ଭାଷା ଭୂଗୋଳରେ ଭାରସାମ୍ୟ ରକ୍ଷା କରି ଲେଖିଦିଏ ରାମାୟଣ-ମହାଭାରତ-ଗୀତା-ଭାଗବତ ବର୍ଣ୍ଣ ଆଉ ବର୍ଣ୍ଣାଳୀ, ଯାହା ପାଠକ ପାଇଁ ସାହିତ୍ୟ, ସଂସ୍କାର ଆଉ ସଂସ୍କୃତି ହୁଏ । ବେଦ ହୁଏ । ଏପରିକି ଜୀବନର ବର୍ଣ୍ଣବୋଧ ହୁଏ ।
କବି ଲେଖିଦିଏ-
“ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା /
କେଉଁ ରାଇଜରେ ରହିଲେ ମୋ ରାଜା ତେଲିଙ୍ଗ ବାଇଦ ବଜା।”
ସେହିଭଳି ସାହିତ୍ୟିକ C.R. Narayan Reddy କହିଲେ “The Signature of cloud is found in its little rain drops.”
ଅଭିଜ୍ଞତାର ମଣିଷଟିଏ କବି । ସିଦ୍ଧ ଅସିଦ୍ଧ / ସିଧା ଅସିଧା / ପ୍ରତ୍ୟକ୍ଷ ପରୋକ୍ଷ ବହୁ ଉପଲବ୍ଧି ତା ପାଖରେ ଲୁଚିରହିଥାଏ । ସେ ଈଶ୍ୱରଙ୍କ ଆଶିଷ ନେଇ ଧରାବତ୍ତରଣ କରିଥାଏ । ଯେଉଁଥିପାଇଁ ମଧ୍ୟଯୁଗୀୟ କବି ଅନନ୍ତ ଦାସ ଲେଖିଛନ୍ତି-
“କବିଙ୍କ ହୃଦେ ବିଷ୍ଣୁ ରଚନ୍ତି ନିଜଘର
ପାଟ୍ଟରାଣୀ ସାରଦାଙ୍କୁ ଘେନିଣ ସଙ୍ଗର
ବିଷ୍ଣୁ ଅଂଶୀ ନୋହିଲେ ପଦନୋହେ କରି
କବି ରୂପେ ଜନ୍ମନ୍ତି ବିଷ୍ଣୁ ନର ଦେହ ଧରି ।”
ସେଇ ମହାନ ଦ୍ରଷ୍ଟା ତ୍ରିକାଳ ସ୍ରଷ୍ଟା ଲେଖିଦିଏ ଯୁଗଯୁଗ ପାଇଁ ଅମୃତ ଅକ୍ଷର.....
“ବଡ଼ ମାୟାବୀ ଜୀବନୁହେଁ କାହାରି,
ଦିନେ ନଭଜୁ ରାମକୃଷ୍ଣ ଶ୍ରୀହରି ।
ପ୍ରଥମ ମାସେ ହେଲୁ ଧବଳ ବର୍ଣ୍ଣ,
ଦ୍ୱିତୀୟ ମାସେ ହେଲୁ ମୀନ ଯେସନ ।
ତୃତୀୟ ମାସେ ରହି ଶୂନ୍ୟେ ମେଲିଲୁ ଡ଼ାଳ,
ଚତୁର୍ଥେ ଅସ୍ଥି ଖଂଜା ତୋହରି... ।”
କବି ଡ଼ାକ୍ତର ନୁହେଁ । କିନ୍ତୁ କଳ୍ପନାରେ ଶରୀରକୁ ଅପରେଶନ କରି ସବୁ ଦେଖି ନିଏ ସୂକ୍ଷ୍ମ ଦୃଷ୍ଟିରେ । ଏଇ ମୁହୂର୍ତ୍ତରେ କହିଦେବାକୁ ଇଚ୍ଛା ହୁଏ... କବିତା Spontaneous over flow of powerful fellings recollected in tranquility. ଭାବ ପ୍ରବଣତା ଏତେ ଶକ୍ତିଶାଳୀଯେ ତାହା ସପ୍ତଶାଳକୁ ଭେଦ କରିପାରେ । ଏଇ ଭେଦର କଥାକୁ କବିବର ମଧ୍ୟ ସ୍ୱକୀୟ ଢ଼ଙ୍ଗରେ କହିଛନ୍ତି-
ଦାରୁ ଭେଦ କ୍ଷମ ଭ୍ରମର ପଶି କମଳକୋଳେ
ପାଶୋରେ ଆପଣା ବିକ୍ରମ ପ୍ରେମ ମୋହନ ଭୋଳେ।
କବିଙ୍କ ପ୍ରେମର ସଂଜ୍ଞା ନିର୍ଣ୍ଣୟ କରିବା ବଡ଼ କଷ୍ଟକର କଥା ।
ଚିହ୍ନା ନଦେଇ କବି ଚାଲିଥାଏ ନିଜବାଟରେ । କିଏ ଚିହ୍ନୁ ବା ନ ଚିହ୍ନୁ, କିଏ ଡାକୁ ବା ନ ଡ଼ାକୁ, କିଏ ପଢ଼ୁ ବା ନ ପଢ଼ୁ, ସିଏ କିନ୍ତୁ ଲେଖି ଚାଲିଥାଏ ଲେଖନୀ ଆଉ ତାଳପତ୍ର ଧରି । ଆଜି ବିଶ୍ୱକୁ ବାର୍ତ୍ତା ଦେବାକୁ ଓଡ଼ିଶାର ସୃଜନ ମନସ୍କ କବି କବୟିତ୍ରୀମାନେ ଆରମ୍ଭ କରିଛନ୍ତି ଉଦ୍ୟମ । “ସାରଳା ମହାଭାରତ ବିଶ୍ୱଚେତନାର ଗ୍ରନ୍ଥଟିଏ । ଏବେ ଏହାର ପର୍ଯ୍ୟାଲୋଚନାର ଧାରା ଛୁଟିଚାଲିଛି ଅତୀତରୁ ବର୍ତ୍ତମାନକୁ ନେଇ । ବିଳାସ ଓ ବିଶ୍ୱାସ ମଧ୍ୟରେ କାବ୍ୟ କବିତା ପ୍ରଚାର କରନ୍ତି ବିଶ୍ୱାୟନର କଥା ।
କିଛିକିଛି କରିଯିବାକୁ କବି କଥା ଦେଇଛନ୍ତି, ମା’କୁ ମାଟିକୁ ଆଉ ଈଶ୍ୱରଙ୍କୁ । କବି ସାଜେ କାପାଳିକ । କଙ୍କିଟିଏ ଧରି କବି ସୂତାବାନ୍ଧିଦିଏ ତା’ ଲାଙ୍ଗୁଡ଼ରେ ଅବୋଧ ଶିଶୁ ଭଳିଆ । କଙ୍କିଠୁ ଶୁଣେ... ମତେ ଛାଡ଼ିଦିଅ । ମୁଁ ନୀଳ ଆକାଶକୁ ଉଡ଼ିଯିବି । ଦେଖିବି ଆକାଶରୁ ମାଟିର ଦୃଶ୍ୟ... କି ସୁନ୍ଦର ଆହା କି ଆନନ୍ଦମୟ / ଏଇ ବିଶାଳ ସଂସାର...
ହେ କବି ତମେ ପରଦା ଆଢ଼ୁଆଳରେ ରହି ଖୋଜୁଥାଅ କବିମୟ ଜୀବନକୁ । ଲେଖୁଥାଅ ଜୀବନର କଥା । ପାଠ କରୁଥାଅ ଶିହରଣର ମନ୍ତ୍ର । ଆଙ୍କୁଥାଅ ମାୟାବିନୀ ରାତ୍ରିର ଚିତ୍ର ନିଜର ମନୀଷାରେ, ନିଜର ପ୍ରଜ୍ଞାରେ । ମହାର୍ଘ ଜୀବନର ଗୀତ ଗାଉଥାଅ । ଗୀତରେ ଘରର ଦାଣ୍ଡ କବାଟ ଫିଟିଯାଉ । ଜୀବନ ବଡ଼ ଦାଣ୍ଡରେ ଶୁଭୁଥାଉ... “ଦାଣ୍ଡରେ ଶୁଭିଲା ରାମକୃଷ୍ଣ ବେନିଭାଇ
ଅକୃର ଆସିଛି ତାଙ୍କୁ ଧରିନେବା ପାଇଁ...”
କବିର ପ୍ରେମିଳ ଫାଶରେ ମୁର୍ହୂମୁର୍ହୂ ବାନ୍ଧି ହେଉଥାଉ ଏ ପୃଥିବୀ ।
ଓ ଶବ୍ଦ ବ୍ରହ୍ମଣେ ନମଃ…
ଗୋଦାବରୀଶ ମିଶ୍ର
କବି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ନୟାଗଡ଼
ମୋ-୯୪୩୮୧୮୨୪୭୦
