ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ବିଧାୟକଙ୍କ ଗୁରୁତ୍ୱାରୋପ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ପଞ୍ଚାୟତ ସମିତି ସଭା ଗୃହରେ ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚତୁର୍ଥ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର,ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ୧୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଜସ୍ମିନୀ ଦାସ, ୧୭ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା ଯୋଗ ଦେଇଥିଲେ।ଏହି ଅଧିବେଶନ ରେ ସ୍ବାସ୍ଥ୍ୟ, ଉଦ୍ୟାନ କୃଷି, ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା, ମନରେଗା ଯୋଜନା ଉପରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ଗ୍ରୀଷ୍ମ ଋତୁ ହେଇଥିବାରୁ ବ୍ଳକର ସମସ୍ତ ପଞ୍ଚାୟତରେ ପିଇବା ପାଣି ସମସ୍ୟା ରହିଥିବାରୁ ବିଭାଗୀୟ ଅଧିକାରୀ ସନ୍ତୋଷ ଜନକ ଉତ୍ତର ଦେଇନଥିବାରୁ ଜନପ୍ରତିନିଧି ମାନେ ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ବର୍ଷିଥିଲେ । ବିଧାୟକ ଶ୍ରୀ ବେହେରା ପାନୀୟ ଜଳ ସମସ୍ୟା ଦୂରୀକରଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିବା ସହ ପ୍ରତି ୧୫ ଦିନରେ ଥରେ ଜନପ୍ରତିନିଧି ସହ ବିଭାଗୀୟ ଅଧିକାରୀ ମାନେ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ନୂଆଗାଁ ପଞ୍ଚାୟତ ସମିତି ର ଚତୁର୍ଥ ସାଧାରଣ ଅଧିବେଶନ ରେ ୨୨ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟାଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
