ଆଜିଠୁ ଆରମ୍ଭ ହେଲା ରଣପୁର ମହୋତ୍ସବ ‘ଅର୍ଜୁନ’

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳର କଳା, ସାହିତ୍ୟ, ଐତିହ୍ୟ ଓ ସଂସ୍କୃତିକୁ ଉଜୀବିତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଆଜି ରଣପୁର ମହୋତ୍ସବ ‘ଅର୍ଜୁନ’ ଉଦଘାଟିତ ହୋଇଯାଇଛି।  ୧୯୩୯ ମସିହାରେ ଏହି ରକ୍ତ ରଂଜିତ ରଣପୁର ମାଟିରେ ବ୍ରିଟିଶ ସରକାର ପଲିଟିକାଲ ଏଜେଣ୍ଟ ବେଜେଲଗେଟକୁ ବାଉଁଶ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିଲା। ତ୍ୟାଗ ଓ ବଳିଦାନର ଏହି ଦିବସକୁ ମନେ ରଖିବା ପାଇଁ ରଣପୁର ମହୋତ୍ସବ ପାଳନ କରଯାଉଥିବା ବେଳେ ଏହା ଏକ ନିଆରା ମହୋତ୍ସବ ଭାବେ ସାରା ରାଜ୍ୟରେ ପରିଚିତ ଶହୀଦ ରଘୁଦିବାକର ଓ ଅର୍ଜୁନ ରାଉତଙ୍କ ବଳିଦାନ ଓ ବିଜୟ ଦିବସକୁ ମନେ ରଖିବା ପାଇଁ ଜାନୁଆରୀ ୫ ତାରିଖକୁ ରଣପୁର ମହୋତ୍ସବ-ଅର୍ଜୁନ ନାମରେ ନାମିତ କରାଯାଇଛି। ମହୋତ୍ସବ ଉଦଘାଟନୀ ଦିବସ ଗୁରୁବାର ସକାଳ ପାଞ୍ଚ ଘଟିକା ସମୟରେ ମହୋତ୍ସବ କମିଟିର ଆବାହକ ବରିଷ୍ଠ ଆଇନୀଜୀବୀ ସୁରେଶ ମିଶ୍ରଙ୍କ ତତ୍ୱାବଧାନରେ ପ୍ରଭାତ ଫେରୀ ଓ ରାମଧୂନ କରାଯାଇଥିଲା। ଏହା ପରେ ଗଣଦୌଡ଼ ଏବଂ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଅପରାହ୍ନ ୩ ଘଟିକା ସମୟରେ ମଞ୍ଚପୂଜା କରାଯାଇଥିଲା। ପରେ ରଣପୁର ମହୋତ୍ସବ ଅର୍ଜୁନକୁ ଉଦଘାଟନ କରାଯାଇଥିଲା। ସନ୍ଧ୍ୟା ଛଅ ଘଟିକା ସମୟରେ ରଣପୁର ବିଧାୟକ ତଥା ମହୋତ୍ସବ କିମିଟିର ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥିଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ନୟାଗଡ ମୁନିସିପାଲଟି ଅଧକ୍ଷା ନିରୁପମା ଖଟେଇ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି, ରଣପୁର ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଁଗୁଆ, ରଣପୁର ଜିଲ୍ଲାପରିଷଦ, ଗୋଡିପଡା ଜିଲ୍ଲାପରିଷଦ, ଶରଣକୁଳ ଜିଲ୍ଲା ପରିଷଦ, ଚାନ୍ଦପୁର ଜିଲ୍ଲା ପରିଷଦ ଆଦି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କବିୟତ୍ରୀ ତଥା ଅଧ୍ୟାପିକା ପ୍ରତିଭା ମହାରଥୀ ଯୋଗ ଦେଇଥିଲେ। ପ୍ରତିଭା ମହାରଥୀଙ୍କ ରଣପୁର ଇତିହାସ ସମ୍ପର୍କିତ ମାଟିର ଗାଥା ଉପରେ ଅଭିଭାଷଣ ଉପସ୍ଥିତ ଶ୍ରୋତାଙ୍କୁ ବିମୋହିତ କରିଥିଲା। ଉପର ମଣିନାଗରେ କୃତ୍ରିମ ଝରଣା କରାଯିବ ବୋଲି ବିଧାୟକ ସତ୍ୟନାରାୟଣ ପ୍ରଧାନ ମତବ୍ୟକ୍ତ କରିଥିଲେ। ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ରଘୁରାଜପୁର ଗୋଟିପୁଅ ନୃତ୍ୟ ଏବଂ ଓଡିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁନଦାରଙ୍କ ମେଲୋଡି କାର୍ଯ୍ୟକ୍ରମ ସାରେ-ଗା-ମା-ପା ଉପସ୍ଥିତ ଦର୍ଶକଙ୍କୁ ମନମୁଗ୍ଧ କରିବା ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ଏବଂ ମହୋତ୍ସବ ପଡିଆରେ ପଡିଥିବା ମିନାବଜାର, ରାମଦୋଳି ଓ ଖାଇବା ଷ୍ଟଲରେ ଭିଡ ଜମିଥିବା ଜଣାପଡ଼ିଛି।

Related posts