୧୦ରୁ୧୧ କେଜି ଧାନ କଟଣି ଜିଦ୍ଦିରେ ମିଲର, ଅବସ୍ଥା ସ୍ୱାଭାବିକ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିବ ଜିଲ୍ଲା କଂଗ୍ରେସ

ମିଲରଙ୍କ ଚାପରେ ସୋସାଇଟି ସମ୍ପାଦକ କିଣୁ ନାହାଁନ୍ତି ଧାନ, ଚାଷୀଙ୍କ ସ୍ୱାର୍ଥପାଇଁ ମିଲର୍ସଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରି ଯିଲ କଂଗ୍ରେସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଳାର ଜଣେ ପ୍ରଭାବଶାଳୀ ନେତାଙ୍କ ପରୋକ୍ଷ ସାହସ ପାଇ ମିଲର୍ସ ଆସୋସିଏସନର ମନମାନି ଦିନକୁଦିନ ବଢିବଢି ଚାଲିଥିବା ଜଣାପଡ଼ିଛି। ଯାହାଫଳରେ ସମସ୍ତ ପ୍ୟାକ୍ସରେ ୧୦ରୁ ୧୧କେଜି ଧାନ କଟଣି ଜିଦ୍ଦିରେ ମିଲର ଅଛନ୍ତି। ମିଲର୍ସଙ୍କ ଚାପରେ ସୋସାଇଟି ସମ୍ପାଦକ ମାନେ ଧାନ କିଣୁ ନାହାଁନ୍ତି। ଏପଟେ ଚାଷୀଙ୍କ ଟୋକନ ଅବଧି ସରିସରି ଯିବା କାରଣରୁ ଚାଷୀକୂଳ ମାନସିକ ଚାପରେ ରହିଥିବା ବେଳେ ଏହାକୁ ଗମ୍ଭୀରତାର ସହ ନେଇଛି ଜିଲ୍ଲା କଂଗ୍ରେସ। ଯଦି ତୁରନ୍ତ ଧାନ କଟଣି କରୁଥିବା ମିଲର ଏବଂ ପ୍ୟାକ୍ସ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିଦିଆଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବି ରଣଜିତ ଦାଶ ଏକ ପ୍ରେସବାର୍ତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଆଜି କୁରାଳ ପ୍ୟାକ୍ସରେ ମିଲର ୧୧ କେଜି କଟଣିରେ ଅଟଳ ରହିବାରୁ ଚାଷୀମାନେ ମିଲରକୁ ପ୍ୟାକ୍ସ ଭିତରେ ତାଲା ପକାଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସେହିପରି ବାଲୁଗାଁ ସୋସାଇଟିରେ ମିଲର ମନମାନି ପ୍ରତିବାଦରେ ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା। ଇଟାମାଟି, ଲାଠିପଡ଼ା, ଆନନ୍ଦାପଲ୍ଲୀ, ଖୁଣ୍ଟୁବନ୍ଧ, ଲେଙ୍କୁଡ଼ିପଡ଼ା, ସିନ୍ଦୁରିଆ, ଚମ୍ପତିପୁର ପ୍ୟାକ୍ସ ମାନଙ୍କରେ କଟଣି ପ୍ରସଙ୍ଗରେ ମିଲର୍ସଙ୍କ ଚାପରେ ସମ୍ପାଦକମାନେ ଧାନ କିଣୁନାହାନ୍ତି। ମିଲର୍ସମାନେ ରାଜନୈତିକ ପ୍ରୋତ୍ସାହନ ପାଉଥିବାରୁ ପ୍ରଶାସନକୁ ବେଖାତିର କରି ପୁର୍ବ ବର୍ଷମାନଙ୍କ ଭଳି ଚାଷୀଙ୍କୁ ଲୁଟିବା ଜିଦ୍ଦିରେ ଅଛନ୍ତି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି।

Related posts