ଅନ୍ ଲାଇନ୍ ମାଧ୍ୟମରେ ଅନୁବାଦକମାନଙ୍କର ଜାତୀୟ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ଯୋଗୁଁ ଭାଷା ମଧ୍ୟରେ ଦୂରତା କମିବା ସମ୍ଭବ ହୋଇପାରିଛି। ବିଶ୍ବ ସାହିତ୍ୟ କେବଳ ଅନୁବାଦ ଯୋଗୁଁ କୋଣେ ଅନୁକୋଣେ ଥିବା ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ପାଖରେ ପହଞ୍ଚିପାରିଛି। ପ୍ରତ୍ୟେକ ଭାଷାର ନିଜସ୍ବ ଶୈଳୀ ଏବଂ ବିଶିଷ୍ଟତା ରହିଛି, ଅନୁବାଦ କଲାବେଳେ ଅନୁବାଦକ ଏଥିପ୍ରତି ଯଥେଷ୍ଟ ସତର୍କ ହେବା ଆବଶ୍ୟକ। ସର୍ବୋପରି ଭାରତ ଭଳି ଏକ ବହୂଭାଷୀ ଦେଶରେ ଅନୁବାଦ ତଥା ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦେଶର ବିଶିଷ୍ଟ ଅନୁବାଦକମାନେ ମତପ୍ରକାଶ କରିଛନ୍ତି।

ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ୧୨ତମ ଜାତୀୟ ଅନୁବାଦକ ସମ୍ମିଳନୀ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅନୂଦିତ ବହୁଭାଷୀ କାବ୍ୟପାଠ ସହ ” ଅନୁଭବରେ ଅନୁବାଦକ” ଶୀର୍ଷକ ଆଲୋଚନାଚକ୍ର ଭାରତର ବିଭିନ୍ନ ରାଜ୍ୟର ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଅନୁବାଦ ସାହିତ୍ୟର ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତ ଅନୁବାଦକ ମାନଙ୍କୁ ସ୍ବାଗତ କରିବା ସହ ଅନୁବାଦ ସାହିତ୍ୟର ସମୃଦ୍ଧି ପାଇଁ ଅନୁଷ୍ଠାନ ତରଫରୁ ନିରନ୍ତର ପ୍ରୟାସ କରାଯାଉଛି ଏବଂ ଆସନ୍ତା ସମୟରେ ବିଭିନ୍ନ ରାଜ୍ୟମାନଙ୍କରେ ମଧ୍ୟ ଅନୁବାଦ ସାହିତ୍ୟ ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଦର୍ଶାଇଥିଲେ । ଆଜିର କାର୍ଯ୍ୟକ୍ରମରେ ଖ୍ୟାତନାମା ଅନୁବାଦିକା ଡ. ମଞ୍ଜୁଶର୍ମା ମହାପାତ୍ର, ଆସାମର ଅନୁବାଦକ ଡ. ହସିନ ସୁଲତାନ୍,ଅନିମା ଦାସ, ସ୍ୱପ୍ନଲତା ବେହରା , ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପିକା ଡ. ଅଞ୍ଜୁମନ ଆରା ବହୁଭାଷୀ ଅନୂଦିତ କାବ୍ୟପାଠ କରିଥିଲେ। ଅନୁଭବରେ ଅନୁବାଦକ କାର୍ଯ୍ୟକ୍ରମରେ ତାମିଲନାଡୁର ପ୍ରଶିଦ୍ଧ ଅନୁବାଦିକା ଡ. ଶୀଲା ବାନୁ ଙ୍କ ସହ ଅନୁବାଦ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଡ. ନମିତା ଲକ୍ଷ୍ମୀ ଜଗଦ୍ଦେବ। ଜାତୀୟ ଅନୁବାଦକ ସମ୍ମିଳନୀରେ ଆସାମ , ତାମିଲନାଡୁ,ଗୁଜୁରାଟ, ପଶ୍ଚିମ ବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ,କେରଳ ଆଦି ବିଭିନ୍ନ ରାଜ୍ୟର ଅନୁବାଦକଙ୍କ ସହ ଭାରତର ବିଭିନ୍ନ ରାଜ୍ୟର ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ପ୍ରଥମକରି ସଂକଳିତ ହୋଇଥିବା ଅନୁବାଦକଙ୍କ ପରିଚୟ ପୁସ୍ତକ ” ଅନୁସୃଜକ” ର ଦ୍ୱିତୀୟ ସଂସ୍କରଣ ଆସନ୍ତା ଏପ୍ରିଲ୍ ମାସରେ ପ୍ରକାଶ ପାଇବ ବୋଲି ସଂଯୋଜକ ସୂଚନା ପ୍ରଦାନ କରିଥିଲେ।

Related posts