ଜାତୀୟ ବୀମା କମ୍ପାନୀର ଶାଖା ଅଫିସ ଉଠାଇ ନେବା ପ୍ରତିବାଦରେ ଗଣବିକ୍ଷୋଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ବୀମା କମ୍ପାନୀର ନୟାଗଡ଼ ଶାଖାକୁ ଉଠାଇ ନେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତିର ପ୍ରତିବାଦରେ ଆଜି ସି.ଆଇ.ଟି.ୟୁ.ର ଆହ୍ୱାନରେ ନୟାଗଡ଼ଠାରେ ଧାରଣା ଓ ବିକ୍ଷୋଭ ଜରିଆରେ ଚେତାବନୀ ଦିଆଯାଇଛି। ସି.ଆଇ.ଟି.ୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମ୍ପାନୀର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସଭା ଅନୁଷ୍ଠିତ ହୋଇଥିଲା। ଏହି ଧାରଣାରେ ଶତାଧିକ ବୀମା କର୍ମଚାରୀ, ବୀମା ଏଜେଣ୍ଟ ଓ ବୀମାଧାରୀ ଯୋଗ ଦେଇଥିବା ବେଳେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ବଦ୍ଧପରିକର ହୋଇଥିଲେ।

୧୯୮୭ମସିହାରୁ ଲାଭଦାୟକ ଭାବେ ବ୍ୟବସାୟ କରି ଆସୁଥିବା ଶାଖା ଏହି ତିନି ବର୍ଷ ହେଲା କରୋନାମାଡରେ କ୍ଷତି ସହିଥାଇପାରେ, ମାତ୍ର ଆନ୍ତର୍ଜାତୀୟ ବିଭୀଷିକାରେ ତମାମ ପୃଥିବୀ କ୍ଷତିଗ୍ରସ୍ତ ହୋଇଥିଲା ବେଳେ କ୍ଷତିର ଆଳ ଦେଖାଇ ଜାତୀୟ ସସ୍ଥାମାନଙ୍କୁ କର୍ପୋରେଟ ପୁଞ୍ଜିର ବଶତା ସ୍ବୀକାର କରାଉଥିବା କେନ୍ଦ୍ର ସରକାରଙ୍କ ଏହା ଗୁପ୍ତ କାର୍ଯ୍ୟକ୍ରମ ବୋଲି ବିଭିନ୍ନ ବକ୍ତା ଭାଷଣରେ କହିଥିଲେ।

ନୟାଗଡ଼ ଶାଖା ବନ୍ଦ କରିବାର ପ୍ରୟାସ ହେଲେ ରାଜ୍ୟ କେନ୍ଦ୍ରର ମୁଖ୍ୟ ଅଫିସ ଓ ଜାତୀୟ କେନ୍ଦ୍ର କଲିକତା ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଏଜେଣ୍ଟ ସଙ୍ଘର ଜୋନାଲ ସଭାପତି ଶିଶିର କାନ୍ତ ଷଡ଼ଙ୍ଗୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସି.ଆଇ.ଟି. ୟୁ. ନେତା ପବିତ୍ର ଇନ୍ଦ୍ରଜିତ୍, ଏସ୍.ଏ.କରିମ୍, ଯୁବ ନେତା ସରୋଜ କୁମାର ନାୟକ, ବିଜୁ ଶ୍ରମିକ ସାମୁଖ୍ୟ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଆଇ.ଏନ୍.ଟି.ୟୁ.ସି. ନେତା ବିମଳ କୁମାର ଦାଶ, ଜିଲ୍ଲା ଏଜେଣ୍ଟ ସଭାପତି ଉମାକାନ୍ତ ଭୂୟାଁ, ସମ୍ପାଦକ ପ୍ରଶାନ୍ତ ସିଂ ସାମନ୍ତ ପ୍ରମୁଖ ବକ୍ତବ୍ୟ ରଖି କମ୍ପାନୀର ମନୋମୁଖୀ ନିଷ୍ପତ୍ତିର ଦୃଢ ପ୍ରତିବାଦ କରିଥିଲେ ଓ ଆବଶ୍ୟକ ହେଲେ ବନ୍ଦ ଡାକରା ଦିଆଯିବ ବୋଲି ଆହ୍ୱାନ ଦେଇଥିଲେ।

ଧାରଣା ପରେ ସମସ୍ତେ ଏକ ଶୋଭାଯାତ୍ରାରେ ଶାଖା ପରିଚାଳକଙ୍କୁ ସ୍ମାରକପତ୍ର ପ୍ରଦାନ କରି ନୟାଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରତିନିଧି ମୂଳକ ସାକ୍ଷାତରେ ଡେପୁଟି କଲେକ୍ଟରଙ୍କୁ ହସ୍ତାନ୍ତର କରିଥିଲେ।

Related posts