ମଧ୍ୟଖଣ୍ଡ ନୋଡାଲ ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦଘାଟିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଆଜି ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। ସକାଳୁ ସକାଳୁ ସ୍କୁଲର ଛାତ୍ର ଏବଂ ପୁରାତନ ଛାତ୍ରମାନଙ୍କର ଏକ ସାଇକେଲ ଶୋଭାଯାତ୍ରା ଘୋଲାହାଣ୍ଡି, ମଧ୍ୟଖଣ୍ଡ ଓ ଡିହଗାଁ ତିନୋଟି ପଞ୍ଚାୟତ ପରିକ୍ରମା କରିଥିଲା। ଏହାକୁ ତିନି ପଞ୍ଚାୟତର ସରପଞ୍ଚ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ହୀରକ ଜୟନ୍ତୀ ପତାକାକୁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବଳିଆରସିଂହ ଉତ୍ତୋଲାନ୍ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲାପରେ ଉଦ୍ଘାଟନୀ ସଭା ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ଶିଶିର କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ପ୍ରଥମେ ସ୍କୁଲର ପୁରାତନ ଛାତ୍ର ତଥା ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବିବରଣୀ ରଖିଥିବା ବେଳେ ପୁରାତନ ଛାତ୍ର ସଂସଦର ସମ୍ପାଦକ ଦୁଃଖୀଶ୍ୟାମ ଦାଶ ଅଭିଭାଷଣ ରଖିଥିଲେ। ପରିଶେଷରେ ପୁରାତନ ଛାତ୍ର ଆଡ଼ଭୋକେଟ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ମଧ୍ୟାହ୍ନ ବିରତି ପରେ ପୁରାତନ ଛାତ୍ର ସଙ୍ଗୀତଜ୍ଞ ଶରତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସ୍କୁଲ ପିଲାଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଆଜି ସ୍କୁଲର ପ୍ରତିଷ୍ଠା ଦିବସ ଠାରୁ ଏହା ବର୍ଷବ୍ୟାପୀ ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାସହ ଶେଷରେ ହୀରକ ଜୟନ୍ତୀ ଉଦଯାପନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

Related posts