ପ୍ରତାରକ ପ୍ରେମିକ
ବଢ଼ୁଥାଏ ଧୀରେ ଯେବେ
ରାତିର ବୟସ,
ବଢ଼ିଥାଏ ଧୀରେ ସେବେ
ମନତଳ ଶୋଷ !
ନିରୀହ ଚାହାଣି ପୁଣି
ଓଠ ତୁନି ଥିବ,
ସ୍ମୃତି ତୁମ ମନେପଡ଼ି
ଦେହ ଜଳୁଥିବ !
କେମିତି ବୁଝିବ ଅବା
କଷ୍ଟ ହୃଦୟର;
ମୁଁ ପରା ଫଟା ବଇଁଶୀ,
ଦୁର୍ବଳ ମୋ’ ସୁର !
ଛଳନାର ଗନ୍ଧ ତୁମେ
ଡିମିରି ଫୁଲର,
କଲ ମୋତେ ପରିତ୍ୟକ୍ତା
ଏ ରାସ୍ତାକଡ଼ର !
ବାଟ ଭାଙ୍ଗି ଚାଲିଗଲ,
ଏଡ଼େ ସ୍ୱାର୍ଥପର;
ନିହାଣର ଆଘାତେ ମୁଁ
କୋଣାର୍କ ମନ୍ଦିର !
ସତରେ ନ ହେଲେ ନାହିଁ,
ସପନରେ ଆସ;
ପାଖରୁ ନ ହେଲେ ନାହିଁ,
ଦୂରୁ ଟିକେ ହସ !
ବାହାନାରେ ବଞ୍ଚିଯିବି
ବାକି କିଛି ଦିନ;
ହୁଅ ପଛେ ଆଉ କା’ର ,
ନ ଥାଉ ମୋ’ ଚିହ୍ନ !
ନୀଳାଦ୍ରିବିହାର, ନୟାଗଡ଼