ନୟାଗଡ଼,(ନୟାଗଡ଼ ଦର୍ପଣ/୧୨.୦୩): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କୃଷ୍ଣଚନ୍ଦ୍ର କ୍ଲବ,ନୟାଗଡ଼ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବ ସଭାଗୃହରେ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ସମଗ୍ର ଜିଳ୍ଲାରୁ ୨୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଅଂଶ ଗ୍ରହଣ କରିଥିବା ବେଳେ ୩ଜଣ ଝିଅ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ଅଲ ଓଡିଶା ଚେସ ଆସୋସିଏସନ ଦ୍ୱାରା ପରିଚାଳିତ ତଥା ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଓ କେ.ସି. କ୍ଲବ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗୀତା ସ୍ୱିସ୍ ଲିଗ ସିଷ୍ଟମ ମାଧ୍ୟମରେ ଖେଳାଯାଉଛି।
ଦୁଇ ଦିନ ବିଶିଷ୍ଟ ଏହି ପ୍ରତିଯୋଗୀତାରେ ଛଅରାଉଣ୍ଡ ଖେଳା ଯିବାକୁ ଥିବା ବେଳେ ପ୍ରଥମ ଦିନରେ ତିନି ରାଉଣ୍ଡ ଖେଳ ସମ୍ପୂର୍ଣ ହୋଇଛି । ଜିଳ୍ଲା ଚେସ ଆସୋଏସନ ସଭାପତି ଚିତ୍ତରଂଜନ ତ୍ରିପାଠୀ, ଉପସଭାପତି ସତ୍ୟନାରାୟଣ ଶତପଥି, ସଂପାଦକ ସ୍ୱଦେଶ ରଥ ଅନ୍ୟତମ ସଦସ୍ୟ ଆଲୋକ ଦାଶ ଓ ପ୍ରଶାନ୍ତ ହଜାରୀଙ୍କ ସମେତ ଆୟୋଜକ ଧିରେନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କ୍ଲବ ପକ୍ଷରୁ ସଂପାଦକ ପ୍ରଭାତ ସାହୁ, ପ୍ରଶାନ୍ତ ହଜାରୀ, ଲକ୍ଷ୍ମୀଧର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅତିଥିଭାବେ ଅବସରପ୍ରାପ୍ତ କୋଚ ଆଲୋକ ଦାଶ ଉପସ୍ଥିତ ରହିଥିବା ବେଳେ ଆର୍ବିଟର ଭାବେ ସନ୍ତୋଷ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା କାଲି ଶେଷ ଦିନରେ ଅବଶିଷ୍ଟ ୩ଟି ରାଉଣ୍ଡ ମ୍ୟାଚ ଖେଳାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।