ଅନଲାଇନରେ ଉଦଘାଟିତ ହେଲା ଭାରତୀୟ ଅନୁବାଦ ସାହିତ୍ୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷାଗତ ଦୂରତାକୁ ଦୂର କରିବା ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନୁବାଦ ଏକମାତ୍ର ମାଧ୍ୟମ ଯାହାଦ୍ୱ।ରା ପୃଥିବୀର ବିଭିନ୍ନ ଭାଷା, ସାହିତ୍ୟକୁ ଜାଣିହୁଏ, ବୁଝିହୁଏ । ଏହା କେବଳ ଅନୁବାଦକଙ୍କ ଯୋଗୁଁ ହିଁ ସମ୍ଭବ ହୋଇଥାଏ।କେବଳ ଶବ୍ଦ ଜ୍ଞାନ ଥିଲେ ଜଣେ ଯଥାର୍ଥ ଅନୁବାଦକ ହୋଇପାରିବ ନାହିଁ,ଅନୁବାଦ ପାଇଁ ଶବ୍ଦ ସହ ଭାବର ସମନ୍ୱୟ ରହିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଆୟୋଜିତ ଜାତୀୟସ୍ତରୀୟ ଅନୁବାଦ ସାହିତ୍ୟ ଆଲୋଚନାଚକ୍ରରେ ବିଶିଷ୍ଟ ଅନୁବାଦକମାନେ ମତବ୍ୟକ୍ତ କରିଥିଲେ। ଖ୍ୟାତିପ୍ରାପ୍ତ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ବିଭିନ୍ନ ଭାରତୀୟ ଭାଷାର ପ୍ରାୟ ୭୦ ଜଣ ଅନୁବାଦକଙ୍କୁ ନେଇ ଗଠିତ ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଅନଲାଇନ୍ ମାଧ୍ୟମରେ ଉଦଘାଟିତ ହୋଇଥିଲା।ଉଦଘାଟନ ସମାରୋହ ଅବସରରେ ବିଶିଷ୍ଟ ଅନୁବାଦକ ରାଧୁ ମିଶ୍ରଙ୍କ ଅଧ୍ୟକ୍ଷତାରେ “ଐସୀ ସ୍ଥିତି ମେଁ ଅନୁବାଦକ କ୍ୟା କରେ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଯୁବ ଅନୁବାଦିକା ଜୟଶ୍ରୀ ଦୋରା ଙ୍କ ସଂଯୋଜନାରେ ଜାତୀୟସ୍ତରରେ ପ୍ରଶିଦ୍ଧି ପାଇଥିବା ଅନୁବାଦିକା ପ୍ରବାସିନୀ ମହାକୁଡ ଏବଂ ଯୁବ ଅନୁବାଦକ ଡ.ଭାରତ ଭୂଷଣ ରଥ ବକ୍ତାଭାବେ ଯୋଗଦେଇ ଅନୁବାଦ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଅନୁବାଦକ ଭାବେ ଏହି କାର୍ଯ୍ୟକ୍ରମରେ ଶ୍ୟାମଳୀ ସେନଗୁପ୍ତ, ଡ.ଜଗମୋହନ ଆଚାର୍ଯ୍ୟ, ଡ.ଭଗବାନ ତ୍ରିପାଠୀ, ଚିନ୍ମୟୀ ଷଢଙ୍ଗୀ, ସଂଗୀତା ରଥ, ପଙ୍କଜ ମିତ୍ର, ଶ୍ରଦ୍ଧାଞ୍ଜଳୀ କାନୁନଗୋ, ସୁକୋମଲ୍ ଦାସ,ଆଶୁତୋଷ ପାତ୍ର, ବସିରନ୍ ବିବି, ଚନ୍ଦ୍ରମା ମହାପାତ୍ର, ଇପ୍ସିତା ଷଢଙ୍ଗୀ, ସବିତା ଶୁକ୍ଳା ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ।