ଶୈବ ପରିବାରରେ ଜନ୍ମନେଇଛୁ, ସମାଜ ସେବା କରୁଚୁ କରିବୁ
ରାଜସୁନାଖଳା(ନୟାଗଡ଼ ଦର୍ପଣ): “ପେଟ ପଛେ ପୋଡିଯାଉ। ଛଟପଟ ହୋଇ ମରିଯିବୁ ସିନା ହେଲେ ପ୍ରତଦିନ ଜଗତ କଲ୍ୟାଣ ପାଇଁ ଶିବଲିଙ୍ଗରେ ଜଳ ଢାଳୁଥିଲୁ, ଢାଳୁଛୁ, ସେମିତି ଢାଳୁଥିବୁ ମଧ୍ୟ।ନ ମିଳୁ ସହାୟତା। ହେବୁ ପଛେ ପାତର ଅନ୍ତରର ଶିକାର କିନ୍ତୁ ସମାଜର ସେବା କରୁଥିବୁ ବଞ୍ଚିଥିବ ପର୍ଯ୍ୟନ୍ତ”। ଏହା କୌଣସି ଯାତ୍ରା କି ସିନେମାର ସଂଳାପ ନୁହେଁ। ବରଂ ମନରେ କୋହକୁ ଚାପିରଖି ସମାଜ ସେବା କରିବାକୁ ଆଗେଇ ଆସି ଏଭଳି କହିଛନ୍ତି ସାମାଜିକ ଗଣ ମାଧ୍ୟମ ଆଗରେ ନୟାଗଡ଼ ଜିଲ୍ଲା ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘର ମୁଖପାତ୍ର ତଥା ଶୈବବିପ୍ର ପ୍ରଦୀପ କୁମାର ରଣା।
ପ୍ରକାଶ ଥାଉକି,ବୈଷୟିକ କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଶୈବପୀଠ ଗୁଡିକ ବନ୍ଦ ରହିବାରୁ ଏହି ସେବାୟତମାନେ ନାହିଁ ନଥିବା କଷ୍ଟରେ ଚଳୁଥିଲେ। ନାଁ ଥିଲା ସରକାରୀ ସହାୟତା ନାଁ ଥିଲା ପେଟପୁରା ଖାଇବାକୁ ଖାଦ୍ୟ। କେବଳ ମନ୍ଦିରରୁ ଭକ୍ତ ମାନଙ୍କ ଠାରୁ ମିଳୁଥିବା ସହାୟତାରେ ବଞ୍ଚୁଥିବା ଏହି ସେବାୟତମାନେ ସରକାରୀ ଯୋଜନାର ବହୁ ଦୂରରେ ଥିଲେ ମଧ୍ୟ ଭାଙ୍ଗି ନପଡ଼ି ଏବେ ସମାଜ ସେବାପାଇଁ ଅଣ୍ଟା ଭିଡିଛନ୍ତି। ରାଜ୍ୟ ସ୍ତରୀୟ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘର ନୀତିନିୟମ ଓ ଆଦର୍ଶରେ ଅନୁପ୍ରାଣିତ ହେବାସହ ସଂଗଠନର ଲକ୍ଷ୍ୟକୁ ସମ୍ମାନ ଜଣାଇ ନେଇଛନ୍ତି ଏଭଳି ପଦକ୍ଷେପ।

ତେବେ ପାର୍ବଣକୁ ଆଖିଆଗରେ ରଖି ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ନୟାଗଡ଼ ଆନୁକୂଲ୍ୟରେ ରଣପୁର ବ୍ଲକ ରାଜସୁନାଖଳାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଅମୃତେଶ୍ୱର ଦେବଙ୍କ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି। ଏହିକ୍ରମରେ ନୟାଗଡ଼ ଜିଲ୍ଲା ଶିଵଶକ୍ତି ମନ୍ଦିର ପୂଜକ ସଙ୍ଘର ସମ୍ପାଦକ ଶୈବବିପ୍ର ଲକ୍ଷ୍ମୀଧର ମହାପାତ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମନ୍ଦିର ପରିସରରେ ଅବସ୍ଥିତ ପୁଷ୍କରିଣୀ ଚତୁଃପାର୍ଶ୍ବକୁ ପରିଷ୍କାର ପରିଛନ୍ନ କରିବା ସହ ତୁଳସୀ, ନିମ୍ବ, ବେଲ ଏବଂ ଶମୀ ବୃକ୍ଷ ରୋପଣ କରାଯାଇଥିଲା।ରାଜସୁନାଖଳାର ଯୁବ ଶୈବ ବିପ୍ର ମାନଙ୍କ ମଧ୍ୟରେ ଶିଶୁ ଶୈବବିପ୍ର ମାନେମଧ୍ୟ ସାମିଲ ହୋଇଥିଲେ। ଜିଲ୍ଲା ପରିଚାଳକ ଗୋଷ୍ଠୀ ମଧ୍ୟରୁ ଶୈବ ବିପ୍ର ଅମ୍ବିକା ରଣା, ନୀଳକଣ୍ଠ ରଣା ଏବଂ ରାଜସୁନାଖଳାର ସାଧାରଣ ସଦସ୍ୟ ଗୋଷ୍ଠିର ଶୈବବିପ୍ରଭାବେ ଅକ୍ଷୟ କୁମାର ରଣା, ପଵିତ୍ର କୁମାର ରଣା, ଶ୍ରୀକାନ୍ତ କୁମାର ରଣା, ଅଖିଳ କୁମାର ରଣା ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। ସଂଗଠନର ଏହା ପ୍ରଥମ ସମାଜସେବା ମୂଳକ କାର୍ଯ୍ୟ ହୋଇଥିବାରୁ ରାଜ୍ୟ ସମ୍ପାଦକ ପରମ ଶୈବ ଆଚାର୍ଯ୍ୟ ବି.କେ ମହାପାତ୍ର ଏବଂ ସଭାପତି ପରମ ଶୈବ ଲଳିତ କୁମାର ମହାପାତ୍ର ଭିଡ଼ିଓ କଲିଂ ମାଧ୍ୟମରେ ସମସ୍ତଙ୍କୁ ଉଚ୍ଚ ପ୍ରଶଂସିତ କରିଥିଲେ।

ଆଗାମୀ ଦିନରେ ଜିଲ୍ଲାର ଉପାନ୍ତ ଅଞ୍ଚଳ ମାନଙ୍କରେ ଏହିଭଳି ଆହୁରି ଅନେଜ ସମାଜସେବା ମୂଳକ କାର୍ଯ୍ୟ କରିବା ନିମନ୍ତେ ସାମାଜିକ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।ଜିଲ୍ଲା ମୁଖପାତ୍ର ପ୍ରଦୀପ କୁମାର ରଣା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶୈବବିପ୍ର ମାନଙ୍କୁ ସଂଗଠିତ ହେବାପାଇଁ ଆହ୍ୱାନ ଦେଇଥିଲେ। ପ୍ରକାଶ ଥାଉକି, ଗତ ସେପ୍ଟେମ୍ବର ପାଞ୍ଚ ତାରିଖ ଗୁରୁଦିବସ ଅବସରରେ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ନୟାଗଡ଼ ରାଜସୁନାଖଳାରେ ଏକ ରାଜ୍ୟ ସ୍ତରୀୟ ମହାସମାବେଶକୁ ଆୟୋଜନ କରି ପୁଳାପୁଳା ପ୍ରଶଂସା ସାଉଁଟିଥିବା ବେଳେ ଚଳିତ ମାସରେ ଏହା ସଂଗଠନର ଦ୍ଵିତୀୟ କାର୍ଯ୍ୟକ୍ରମ ଥିଲା। ସଂଗଠନ ପକ୍ଷରୁ ପ୍ରତ୍ୟେକ ମାସରେ ଏହିଭଳି କାର୍ଯ୍ୟକ୍ରମ ସବୁ କରାଯିବ ବୋଲି ରାଜ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବହୁ ସମସ୍ୟା ମଧ୍ୟରେ ବୁଡିରହି ମଧ୍ୟ ଏଭଳି ଏକ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାରୁ ବୁଦ୍ଧିଜୀବୀ ମହଲରେ ବେଶ ସାବାସୀ ସାଉଁଟିଛନ୍ତି ।

