ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ, ପୁଲିସ ଡିଜିଙ୍କୁ ଭେଟିଲେ ପରିବାର ଲୋକେ

ରଣପୁର,(ନୟାଗଡ ଦର୍ପଣ):- ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ। ଏପରି ଏକ ଘଟଣା ଘଟିଛି ରଣପୁର ଅଞ୍ଚଳରେ। ୨୦୨୦ରେ ନୟାଗଡ଼ ବ୍ଲକ ନାଗପୁର ଅଞ୍ଚଳର ପତିତପାବନ ସାହୁଙ୍କ ଭଉଣୀ ସସ୍ମିତା କୁମାରୀ ସାହୁ ରଣପୁର ଥାନା ଅନ୍ତର୍ଗତ ରଙ୍କଦେଉଳି ଅଞ୍ଚଳର ଦୀପକ କୁମାର ସାହୁଙ୍କୁ ଯଥା ରୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି ଦିନ ଠିକ୍ ଠାକ୍ ଚାଲିଥିବା ବେଳେ ପରେ ଯୌତୁକ ପାଇଁ ଆରମ୍ଭ ହୋଇଯାଇଥିଲା ବିଭିନ୍ନ ପ୍ରକାର ନିର୍ୟାତନା । ସେ ବାବଦରେ ସସ୍ମିତା ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଆଉ ଟଙ୍କା ଆଣିବାକୁ ମଧ୍ୟ ଗୁହାରି କରିଥିଲେ। ତେବେ ପରିବାର ଲୋକେ ୩ ଲକ୍ଷ ଟଙ୍କା ଧରି ଯାଇଥିବା ବେଳେ ଗତ ଏପ୍ରିଲ ୨୧ ତାରିଖରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଥିଲେ। ଏ ନେଇ ପରିବାର ଲୋକେ ରଣପୁର ଥାନାରେ ଯୌତୁକ ପାଇଁ ହତ୍ୟା ଏତଲା ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ପରିବାର ଲୋକେ ପୁଲିସ ଡିଜିଙ୍କୁ ଭେଟିବାକୁ ଆସିଥିଲେ। ଯଥା ଶୀଘ୍ର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଡିଜିଙ୍କୁ ଗୁହାରି କରିଛନ୍ତି। ସସ୍ମିତାଙ୍କ ଭାଇ ପତିତପାବନ ସାହୁ କହିଛନ୍ତି ଯେ, ତାଙ୍କ ଭଉଣୀଙ୍କ ବିବାହର ୧୩ ମାସ ପରେ ଶାଶୂଘର ଲୋକେ ତାଙ୍କୁ ଯୌତୁକ ପାଇଁ ମାରିଦେଇଥିଲେ। ଆମେ ଏନେଇ ରଣପୁର ଥାନାରେ କେସ୍‌ କରିଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବା ସେ କହିଛନ୍ତି।

Related posts