ଦଶପଲ୍ଲାରେ ରେଲୱେ ଟ୍ରାକ ନିର୍ମାଣ ନାଁ’ରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଥିବା ଅଭିଯୋଗ କଲା ଜିଲ୍ଲା କଂଗ୍ରେସ

ଦଶପଲ୍ଲା,(୧୪/୦୮):- ଦଶପଲ୍ଲା ରେଲୱେ ଟ୍ରାକ ନିର୍ମାଣ ପାଇଁ ଦଶପଲ୍ଲା ତହସିଲ ଅନ୍ତର୍ଗତ ପୁରୁଣା ଦଶପଲ୍ଲା ନୁଆସାହି ସରହଦର ପ୍ରାୟ ୨କିମି ରେଳ ଲାଇନ ଭୂଇଁଠାରୁ ୨୧ ମିଟର ଗଭୀର ଖୋଳାଯିବା ସହ ଦୁଇଟି ପାହାଡ଼ କଟାଯାଇଛି। ବର୍ତମାନ ପ୍ରାୟ ୧୦ ମିଟର ତଳକୁ ଖୋଳାଯିବା ଦ୍ୱାରା ତଳୁ ବହୁ ପରିମାଣର କଳାମୁଗୁନି ପଥର ବାହାରିଛି ଏବଂ ପାହାଡ଼ କଟାଯିବା ଯୋଗୁଁ ପ୍ରାୟ ଆନୁମାନିକ ୫ହଜାର ଟ୍ରିପ ପଥର ଏବଂ ମାଟିତଳୁ ପ୍ରାୟ ୨ହଜାର ଟ୍ରିପ ପଥର ବାହାରି ଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଣି ଆଉ ଅବଶିଷ୍ଟ ପାହାଡ଼ କଟାଯିବା ସହ ମାଟିତଳୁ ଆଉ ସେତିକି ବଡ଼ବଡ଼ ମୂଲ୍ୟବାନ କଳାମୁଗୁନି ପଥର ବାହାରିବ। ଆଜକୁ ଦୁଇ ତିନି ମାସ ଧରି ରେଲୱେ ଠିକାଦାର ଶ୍ରୀ ଦୁର୍ଗା କନଷ୍ଟ୍ରକସନ କମ୍ପାନୀ ବ୍ଲାଷ୍ଟିଙ୍ଗ କରି ପାହାଡ଼ ଫଟାଇ ପ୍ରାୟ ୫ହଜାର ହାଇୱା ଟ୍ରିପ ପଥର ସେଠାରୁ ଆଣି ଚିପ୍ସ ଆକାରରେ ବିକ୍ରି କରିସାରିଲାଣି ଆଉ କିଛି ପଥର ଅନ୍ୟାନ୍ୟ ସ୍ଥାନରେ ମହଜୁଦ କରି ରଖିଥିବା ଆଜି କଂଗ୍ରେସ ପ୍ରତିନିଧି ଦଳ ଠାବ କରିଛନ୍ତି। ମହଜୁଦ ପଥର ପ୍ରାୟ ୨ହଜାର ଟ୍ରିପ ହେବବୋଲି ଅନୁମାନ କରାଯାଉଛି।

ମାଟିତଳୁ ବାହାରୁଥିବା ବୃହତ୍ତକାୟ କଳାମୁଗୁନି ପଥର କଲାଶଖମଣ ଠାରେ ଥିବା ଗ୍ରାନାଇଟ କମ୍ପାନୀକୁ ଚୋରାରେ ଦିଆଯାଇଛି। ଜିଲ୍ଲାପାଳ ଏବଂ ତହସିଲଦାର ସ୍ତରରେ ପ୍ରାୟ ୫୦ଲକ୍ଷ ଲାଞ୍ଚ କାରବାର ସହ ଶାସକ ଦଳକୁ ପଞ୍ଚାୟତ ନିର୍ବାଚନ ଚାନ୍ଦା ଦେଇ ପ୍ରାୟ ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାର କଳାମୁଗୁନି ପଥର ଚୋରାରେ ଲୁଟ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଅଭିଯୋଗ କରିଛନ୍ତି। କାରଣ ଶାସନ ପ୍ରଶାସନ ଅନୁକମ୍ପା ନଥିଲେ ଏତେ ପରିମାଣର ପଥର ମହଜୁଦ ରଖାଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି। ପୁରୁଣା ଦଶପଲ୍ଲା ଜାତୀୟ ରାଜପଥ କଡରେ ରେଲୱେ ଠିକାଦାରଙ୍କୁ ମିକ୍ସଚର ପ୍ଲାଣ୍ଟ, କ୍ରସର ଅନୁମତି ଦେଇ ଏହି ଚୋରା ପଥରକୁ ରାତିଦିନ ଲାଗି ଚିପ୍ସ କରି ଭୁବନେଶ୍ୱର ଚାଲାଣ କରାଯାଉଛି ବୋଲି ଅଭିଯୋଗ କରାଯାଇଛି। ଦଶପଲ୍ଲା ତହସିଲ କାର୍ଯ୍ୟାଳୟର ସୂଚନା ଅଧିକାରୀଙ୍କ ତଥ୍ୟରୁ ଅଦ୍ୟାବଧି ଏହି ପଥର ପାଇଁ କୌଣସି ରାୟଲିଟି ଆଦାୟ ହୋଇ ନଥିବା ସ୍ପଷ୍ଟ ହେଉଥିବା ବେଳେ ରେଲୱେ ନିର୍ବାହୀ ଯନ୍ତ୍ରୀ ଯଥୋଚିତ ରୟାଲିଟି ଆଗକୁ ଦେବେ ବୋଲି ସୂଚନା ଦେବା ସମଗ୍ର ଘଟଣାକ୍ରମକୁ ସନ୍ଦେହ ଘେରକୁ ନେଉଛି ଯାହାକି ଜିଲ୍ଲାପାଳ ଏବଂ ଦଶପଲ୍ଲା ତହସିଲଦାରଙ୍କ ସ୍ୱଚ୍ଛତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସୂଚନା ଆଇନ ତଥ୍ୟକୁ ସମୀକ୍ଷା କଲେ ଏଯାବତ ଏହି କୋଟିକୋଟି ଟଙ୍କାର ଜାତୀୟ ସମ୍ପତ୍ତିକୁ ମାପଚୁପ କରାଯାଇ ତାହାର ସରକାରୀ ମୂଲ୍ୟ ନିର୍ଦ୍ଧାରଣ ନହୋଇ ରେଲୱେ ଠିକାଦାର ଏବଂ ତେଲେଙ୍ଗାନା ଗ୍ରାନାଇଟ କମ୍ପାନୀ କେମିତି ନେଇଯାଇଛି ତାହା ପ୍ରଶ୍ନବାଚୀ ତେଣୁ ଲାଞ୍ଚଖାଇ ରାଜସ୍ବ କ୍ଷତି କରାଇବା, ଦୁର୍ନୀତି ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେବା ଏବଂ ସରକାରଙ୍କ ସହ ବିଶ୍ୱାସଘାତ କରିବା ଅଭିଯୋଗରେ ନୟାଗଡ ଜିଲ୍ଲାପାଳ ଏବଂ ଦଶପଲ୍ଲା ତହସିଲଦାର ଚାକିରୀରୁ ନିଲମ୍ବନ ସହ ଉଭୟଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଧମା ଦାଏର କରିବା ପାଇଁ ଆଇନଜୀବି ଶ୍ରୀ ଦାଶ ଲୋକାୟୁକ୍ତଙ୍କ ହସ୍ତକ୍ଷେପ ଲୋଡିବେ ବୋଲି ପ୍ରେସ ବାର୍ତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି ବୁଲୁ ପରିଡାଙ୍କ ସମେତ ବରିଷ୍ଠ ନେତା ସରୋଜ କୁମାର ପରିଡା, ଆରଜିପିଆରଏସ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ, ଜିଲ୍ଲା କଂଗ୍ରେସ ଉପସଭାପତି ନିର୍ମଳ ଚନ୍ଦ୍ର ରଥ, ସାଧାରଣ ସମ୍ପାଦକ ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ କୁମାର ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇଥିଲେ।

Related posts