ନୂଆଗାଁ(୧୪/୦୮):- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ଜୟପୁର ଗ୍ରାମରେ ଥିବା ବିଦ୍ୟାଳୟକୁ ବନ୍ଦ ନକରିବା ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ଗ୍ରାମ ବାସୀ। ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ ହରିପୁର ପଞ୍ଚାୟତର ଜୟପୁର ଗ୍ରାମରେ ୨୦୧୨ ମସିହାରେ ଜୟପୁର ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ୨ଜଣ ଶିକ୍ଷକଙ୍କ ଶିକ୍ଷାଦାନରେ ଏହି ବିଦ୍ୟାଳୟରୁ ବହୁ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରି ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଜୟପୁର ଗ୍ରାମ ଅବସ୍ଥିତ। ଲୋକମାନଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଏଭଳି ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷାଦାନ ପାଇଁ ଏହି ବିଦ୍ୟାଳୟ ବହୁତ୍ ସହାୟକ ହେଉଥିଲା। କିନ୍ତୁ କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଯୋଗୁଁ ବିଦ୍ୟାଳୟ ବନ୍ଦ ପାଇଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରୁ ନିର୍ଦ୍ଦେଶ କରାଗଲା। ପଞ୍ଚାୟତରେ ଥିବା ସିଆରିମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗ୍ରାମ ଠାରୁ ୩କିମି ଦୂର ହୋଇଥିବା ବେଳେ ଭାଟ୍ଟସାହି ପ୍ରାଥମିକ ବିଦ୍ୟାଳୟ ୪କିମି ଦୂର। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମରେ ୨୫ ରୁ ୩୦ଜଣ ପିଲା ଏବେବି ଅଛନ୍ତି। କିନ୍ତୁ ବିଦ୍ୟାଳୟ ବନ୍ଦ ହେବାଥିବା ଯୋଗୁଁ କୋମଳମତି ଛାତ୍ରଛାତ୍ରୀମାନେ ୩କିମି ଯାଇ ବିଦ୍ୟାଳୟରେ ପାଠ ପଢିବା କଣ ସମ୍ଭବ ହୋଇପାରିବ? ଯାତାୟାତ ସମୟରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଲେ କିଏ ଦାୟୀ ରହିବ ବୋଲି ଅଭିଭାବକମାନେ ଓଲଟା ପ୍ରଶ୍ନ କରିଛନ୍ତି । ବିଦ୍ୟାଳୟ ବନ୍ଦର ପୁନର୍ବିଚାର ପାଇଁ ଦଶପଲ୍ଲା ବିଧାୟକଙ୍କୁ ମଧ୍ୟ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଦ୍ୟାଳୟ ନକରି ପୁନର୍ବିଚାର କରି ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି।
ବିଦ୍ୟାଳୟ ବନ୍ଦ ନକରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
