ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଭୋଟହାର ଦ୍ୱିଗୁଣିତ: ମନ୍ତ୍ରୀ
ଦଶପଲ୍ଲା,(୧୧/୦୮):- ଦଶପଲ୍ଲା କୁଆଁରିଆ ଡ୍ୟାମ୍ ଠାରେ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ, ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଦଶପଲ୍ଲା ଏନ୍ଏସି ପୂର୍ବତନ ଅଧ୍ୟକ୍ଷା ବବିତା ସାହୁଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି କର୍ମୀ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ପରେ ଆୟୋଜିତ କର୍ମୀ ସମ୍ମିଳନୀରେ ଆଗାମୀ ପଂଚାୟତ ଓ ଏନ.ଏ.ସି ନିର୍ବାଚନକୁ ଆଖି ଆଗରେ ରଖି ଏପରି କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ଓଡ଼ିଶାର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଜେଡି ସରକାରର ଲୋକାଭିମୁଖି କାର୍ଯ୍ୟକ୍ରମ ଯୋଗୁଁ ଘରେ ଘରେ ବିଜେଡିର ଲୋକପ୍ରିୟତା ବହୁଗୁଣିତ ହୋଇଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।

