ନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ତ ପୁସ୍ତକ “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ। ମହାମହିମ ରାଜ୍ୟପାଳ ଡ଼. ଗଣେଶୀ ଲାଲଙ୍କ କରକମଳରେ ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ରଙ୍କ ଲିଖିତ “ନୟାଗଡ଼ ଇତିହାସ” ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ ଆଦୃତି ଲାଭ କରିବ ବୋଲି ଆଶାପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତ ସୁଶିଲା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର ଡ଼ଃ. ମହାପାତ୍ର ଜଣେ ପ୍ରତିଭାବାନ ସାରସ୍ୱତ ଗବେଷକ, ପ୍ରାବନ୍ଧିକ, ସମାଲୋଚକ, ସୁଵକ୍ତା ଓ କବି ହୋଇଥିବା ବେଳେ ତାଙ୍କ ରଚିତ “ମନ୍ବସୀ ସାଧକ ପଣ୍ଡିତ ବିନାୟକ ମିଶ୍ର” ପୁସ୍ତକଟି ୨୦୦୯ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ବେଳେ ଉପେନ୍ଦ୍ର ଭଞ୍ଜ ଓ ସାରସ୍ୱତ ପୀଠ ମାଳିସାହି, କହେ ତାଡିସରୁ ବାଇ, ଓଡ଼ିଶାର କଥିତ ଭାଷା ପରିକ୍ରମା ଓ ଓଡ଼ିଶା ସାରସ୍ୱତ ସ୍ତବକ ଶୀର୍ଷକ ଗବେଷଣା ଧର୍ମୀ ପୁସ୍ତକ ବେଶ ପାଠକୀୟ ଆଦୃତି ଲାଭ କରିପାରିଛି। ୭୧୨ପୃଷ୍ଠା ସମ୍ବଳିତ ଏହି ସର୍ଵ ବୃହତ୍ତ “ନୟାଗଡ଼ ଇତିହାସ” ପୁସ୍ତକଟି ବର୍ତ୍ତମାନ ନୟାଗଡ଼ ସହରସ୍ଥିତ “ରାମଚନ୍ଦ୍ର ବୁକଷ୍ଟୋର”ରେ ଉପଲବ୍ଧ।

ରାମଚନ୍ଦ୍ର ବୁକ ଷ୍ଟୋରରେ “ନୟାଗଡ଼ ଇତିହାସ”

Related posts